ବାଙ୍ଗାଲୁରୁରେ ଟ୍ରେନ୍‌ ଧକ୍କାରେ ଚାଲିଗଲା ଦାଦନ ଶ୍ରମିକଙ୍କ ଜୀବନ: ଗାଁକୁ ଫେରିଲା ମୃତଦେହ

କୋକସରା,୧୪।୫(ଡି.ଏନ.ଏ.): ପରିବାରର ଆର୍ଥିକ ସ୍ଥିତି ସ୍ବଚ୍ଛଳ ନ ଥିବାରୁ ବାଙ୍ଗାଲୁରୁକୁ ଦାଦନ ଖଟିବାକୁ ଯାଇଥିଲେ ଯୁବକ। ହେଲେ ଟ୍ରେନ୍‌ ଦୁର୍ଘଟଣାରେ ଆଖି ବୁଜିବା ଯୋଗୁ ଘରକୁ ଫେରିଲା ମୃତଦେହ। ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତ ସିଉନି ଗ୍ରାମରେ।

ସୂଚନାନୁଯାୟୀ, ଗ୍ରାମର ଦ୍ୱାରୁ ନାଏକଙ୍କ ପୁଅ ଗଜେନ୍ଦ୍ର ନାଏକ (୨୫) ଗତ ଦେଢ଼ ମାସ ତଳେ ପରିବାରର ଆର୍ଥିକ ଅଭାବ ଯୋଗୁ ସାଥି ଶ୍ରମିକଙ୍କ ସହ ଦାଦନ ଖଟିବାକୁ ବାଙ୍ଗାଲୋର ଯାଇଥିଲେ। ବାଙ୍ଗାଲୋରର କୁମୁଳଗଡ ଗେରପାଲିଆର ଥିବା ଏକ ଠିକା ସଂସ୍ଥାରେ କାମ କରୁଥିଲେ। କାମକୁ ବାହାରିବା ସମୟରେ ଟ୍ରେନ ଧକ୍କା ଦେବା ଯୋଗୁ ଗଜେନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ପରିବାରଲୋକଙ୍କ ନିକଟକୁ ଗୁରୁବାର ରାତିରେ ଖବର ପହଞ୍ଚିଥିଲା। ପରେ ତାଙ୍କ ମୃତଦେହ ଶୁକ୍ରବାର ରାତିରେ ଘରକୁ ଆସିବା ପରେ ଗ୍ରାମରେ ଶୋକାକୂଳ ପରିବେଷ ସୃଷ୍ଟି ହୋଇଥିଲା। ଶନିବାର ଶବ ସତ୍କାର କରାଯାଇଛି। ଅପରପକ୍ଷେ ରୋଜଗାରିଆ ଭେଣ୍ଡିଆ ପୁଅର ମୃତ୍ୟୁ ଖବର ପାଇ ବୃଦ୍ଧ ବାପାମା’ ଭାଙ୍ଗି ପଡିଛନ୍ତି।