ତାମିଲନାଡ଼ୁରେ ଦାଦନଙ୍କ ମୃତ୍ୟୁ

କୋଷାଗୁମୁଡ଼ା,୧୭।୭(ପ୍ରସାଦ ବିଷୋୟୀ): ଗାଁରେ ମିଳିଲାନି କାମ। ତେଣୁ ୪ମାସ ହେଲା ସ୍ତ୍ରୀ ଓ ମା’ଙ୍କୁ ଛାଡି ପରିବାରର ପ୍ରତିପୋଷଣ ପାଇଁ ତାମିଲନାଡୁ ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ ନବରଙ୍ଗପୁର ଜିଲା କୋଷାଗୁମୁଡା ବ୍ଲକ ବଡ଼ ଆଟିଗାଁ ପଞ୍ଚାୟତ ସଦର ଗାଁର କୃଷ୍ଣ ହରିଜନ(୨୨)। ସେଠାରେ କିନ୍ତୁ ରବିବାର କୃଷ୍ଣଙ୍କର ମୃତ୍ୟୁ ଘଟିଛି। ଏହି ଖବରପାଇ ତାଙ୍କ ପରିବାର ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି।
ମା’ ତୁଳା ହରିଜନ ଓ ସ୍ତ୍ରୀଙ୍କୁ ନେଇ କୃଷ୍ଣଙ୍କ ପରିବାର। ଗାଁରେ କାମ ନ ପାଇ ୪ ମାସ ପୂର୍ବେ କୃଷ୍ଣ ସାଙ୍ଗସାଥୀଙ୍କ ସହ ତାମିଲନାଡୁ ଯାଇଥିଲେ। ସେ ତ୍ରିପୁରା ଜିଲା ଅବିନାଶୀର ଏକ ଘରୋଇ ମିଲରେ ବସ୍ତା ସିଲେଇ କାମ କରୁଥିଲେ। ୩ଦିନ ପୂର୍ବେ ହଠାତ କୃଷ୍ଣ ଅସୁସ୍ଥ ହୋଇ ପଡ଼ିଥିଲେ। ପାଖରେ ଥିବା ସାଙ୍ଗମାନେ ତାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ରାତିରେ କୃଷ୍ଣଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ଖବରପାଇ କୃଷ୍ଣଙ୍କ ଘରେ ଓ ଗାଁରେ କାନ୍ଦବୋବାଳି ପଡ଼ିଛି। ମୃତକଙ୍କ ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ମୃତଦେହକୁ ଗ୍ରାମକୁ ଫେରାଇ ଆଣିବା ନେଇ ଗ୍ରାମବାସୀ ଜିଲାପ୍ରଶାସନକୁ ଅବଗତ କରିଛନ୍ତି।