Categories: ଜାତୀୟ

ହୋଟେଲ ରୁମରୁ ମିଳିଲା ସ୍ବାଧୀନ ଏମ୍‌ପିଙ୍କ ମୃତଦେହ

ମୁମ୍ବାଇ, ୨୨ା୨- ଦାଦର ଓ ନଗର ହାଭେଳିର ୭ ଥର ଏମ୍‌ପି ମୋହନ ଡେଲକରଙ୍କ ମୃତଦେହ ସୋମବାର ମୁମ୍ବାଇର ଏକ ହୋଟେଲ ରୁମରୁ ଉଦ୍ଧାର କରାଯାଇଛି। ସେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି। କିଛି ରିପୋର୍ଟ ଅନୁଯାୟୀ, ହୋଟେଲ ରୁମ୍‌ରୁ ଜବତ ହୋଇଛି ସୁଇସାଇଡ୍‌ ନୋଟ।

ଗତରାତିରେ ଡେଲକର ହୋଟେଲରେ ଚେକ୍‌ ଇନ୍‌ କରିଥିଲେ। ବହୁବାର ତାଙ୍କ ରୁମ୍‌ ଖୋଲିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ ପାଖ ରୁମ୍‌ରେ ରହୁଥିବା ଡ୍ରାଇଭର। ଏ ସମ୍ପର୍କରେ ଜଣାଇଥିଲେ ହୋଟେଲ କର୍ମଚାରୀଙ୍କୁ। ଅନ୍ୟ ବାଟ ଦେଇ ରୁମ୍‌ ଭିତରେ ପ୍ରବେଶ କରିବା ପରେ ଡେଲକରଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ ବୋଲି ପୋଲିସ ଅଧିକାରୀ କହିଛନ୍ତି।

ଉଲ୍ଲେଖଥାଉ କି, ୧୯୮୯ରୁ ୨୦୦୯ ପର୍ଯ୍ୟନ୍ତ କ୍ରମାଗତ ୬ ଥର ଲୋକସଭା ଆସନରୁ ଲଢ଼ି ବିଜୟୀ ହୋଇଥିଲେ ଡେଲକର। କିନ୍ତୁ ୨୦୦୯ ଓ ୨୦୧୪ ଲୋକସଭା ନିର୍ବାଚନରେ ତାଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏହାପରେ ସ୍ବାଧୀନ ପାର୍ଥୀ ଭାବେ ୨୦୧୯ ନିର୍ବାଚନରେ ବିଜୟୀ ହୋଇଥିଲେ। ସେ ୧୯୮୯, ୧୯୯୧, ୧୯୯୬ରେ କଂଗ୍ରେସ ଟିକେଟରୁ ଲଢ଼ିଥିବାବେଳେ ୧୯୯୮ରେ ଭାଜପା ପକ୍ଷରୁ ମଇଦାନକୁ ଓହ୍ଲାଇଥିଲେ।

Share