ଦୈନିକ ମୃତ୍ୟୁ ସଂଖ୍ୟା ପୁଣି ଟପିଲା ୫ ଶହ…

ନୂଆଦିଲ୍ଲୀ,୨୭।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ବୃଦ୍ଧି ପାଇ ୧୩ ହଜାର ୪୫୧ ରେ ପହଞ୍ଚିଛି। ୨୩୯ ଦିନ ପରେ ଦୈନିକ ସଂକ୍ରମଣ ସର୍ବନିମ୍ନ ରହିଛି। ଏହି ସମୟ ମଧ୍ୟରେ ଦେଶରେ କରୋନାରେ ୫୮୫ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସେହିପରି ୧୪ ହଜାର ୨୧ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ୯୮.୧୯ ପ୍ରତିଶତ ରହିଛି। ଅପରପକ୍ଷରେ ସକ୍ରିୟ ମାମଲା ୧ ଲକ୍ଷ ୬୨ ହଜାର ୬୬୧ ରହିଛି। ୨୪୨ ଦିନ ପରେ ଏହା ସର୍ବନିମ୍ନ ଅଛି। ସାପ୍ତାହିକ ପଜିଟିଭ୍‌ ହାର ୧.୨୪ ପ୍ରତିଶତରୁ କମ୍‌ ରହିଛି। ଦୈନିକ ପଜିଟିଭିଟି ହାର ୧.୧୦ ପ୍ରତିଶତ ରହିଛି। ସକ୍ରିୟ ମାମଲା ୦.୪୮ ପ୍ରତିଶତରେ ପହଞ୍ଚିଛି। ସେହିପରି ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ ଲକ୍ଷ ୫୫ ହଜାର ୬୫୩ ଛୁଇଁଥିବାବେଳେ ମୃତ୍ୟୁ ହାର ୧.୩୩ ପ୍ରତିଶତ ରହିଛି।

ବର୍ତ୍ତମାନ ସୁଦ୍ଧା ୧୦୩ କୋଟି ୫୩ ଲକ୍ଷ ୨୫ ହଜାର ୫୭୭ ଜଣଙ୍କୁ ଟିକାଦାନ ସରିଛି। ଗତ ୨୪ ଘଣ୍ଟାରେ ୫୫ ଲକ୍ଷ ୮୯ ହଜାର ୧୨୪ ଜଣଙ୍କୁ ଟିକା ଦିଆଯାଇଛି। ଅପରପକ୍ଷରେ ଇତିମଧ୍ୟରେ ୬୦କୋଟି ୧୨ ଲକ୍ଷରୁ ଅଧିକ ଜଣ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର ପକ୍ଷରୁ କୁହାଯାଇଛି। ଗତ ୨୪ ଘଣ୍ଟାରେ ୧୨ ଲକ୍ଷରୁ ଅଧିକ ଳୋକଙ୍କ ନମୁନା ପରୀକ୍ଷା କରାଯାଇଛି।

ସଂକ୍ରମଣ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ୩ କୋଟି ୩୫ ଲକ୍ଷ ୯୭ ହଜାର ୩୩୯ ଜଣ ଲୋକ ସୁସ୍ଥ ହୋଇସାରିଛନ୍ତି। ସେହିପରି ବର୍ତ୍ତମାନ ସୁଦ୍ଧା ମୋଟ ୩ କୋଟି ୪୨ ଲକ୍ଷ ୧୫ ହଜାର ୬୫୩ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କେରଳରେ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। କେରଳ ଯୋଗୁ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁସଂଖ୍ୟା ବଢୁଛି। ଗତ ୨୪ ଘଣ୍ଟାରେ କେରଳରେ ୭,୧୬୩ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଏହି ସମୟରେ ମୃତ୍ୟୁ ସଂଖ୍ୟା ୯୦ ରହିଛି।

Share