ଦୈନିକ ମୃତ୍ୟୁ ସଂଖ୍ୟା ୧୧ ଶହ ଟପିଲା …

ନୂଆଦିଲ୍ଲୀ, ୧।୨ : ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣରେ କମୁଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୧ ଲକ୍ଷ ୬୭ ହଜାର ୫୯ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଏହି ସମୟ ମଧ୍ୟରେ ଦେଶରେ କରୋନାରେ ୧,୧୯୨ଜଣଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ସଂଖ୍ୟା ଲଗାତାର ବଢୁଥିବାରୁ ସରକାରଙ୍କ ଚିନ୍ତା ବୃଦ୍ଧି ପାଉଛି।

ଗତ ୨୪ ଘଣ୍ଟାରେ ୨ ଲକ୍ଷ ୫୪ ହଜାର ୭୬ ଜଣ ସୁସ୍ଥ ହୋଇଛନ୍ତି। ଅପରପକ୍ଷରେ ସକ୍ରିୟ ମାମଲା ୧୭ ଲକ୍ଷ ୪୩ ହଜାର ୫୯ ରେ ପହଞ୍ଚିିଛି। ଦୈନିକ ପଜିଟିଭିଟି ହାର ୧୧.୬ ପ୍ରତିଶତ ରହିଛି। ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ ଲକ୍ଷ ୯୬ ହଜାର ୨୪୨ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୧୪ ଲକ୍ଷ ୬୯ ହଜାର ୪୯୯ ଜଣ ଆକ୍ରାନ୍ତ ହୋଇଥିବାବେଳେ ୩ କୋଟି ୯୨ ଲକ୍ଷ ୩୦ ହଜାର ୧୯୮ ଜଣ ସୁସ୍ଥ ହୋଇଛନ୍ତି।

ଗତ ୨୪ ଘଣ୍ଟାରେ ଦେଶର ୭ଟି ରାଜ୍ୟ ମଧ୍ୟରେ କେରଳର ସର୍ବାଧିକ ୪୨,୧୫୪ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହା ପଛକୁ କର୍ନାଟକ ରହିଛି। ଏଠାରେ ୨୪,୧୭୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତାମିଲନାଡୁରେ ୧୯,୨୮୦, ମହାରାଷ୍ଟ୍ରରେ ୧୫,୧୪୦ , ଗୁଜୁରାଟରେ ୬,୬୭୯, ରାଜସ୍ଥାନରେ ୬,୩୬୯ ଏବଂ ଆନ୍ଧ୍ରପ୍ରଦେଶରେ ୫,୮୭୯ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସୂଚନାଯୋଗ୍ୟ, ସମ୍ପ୍ରତି ଦେଶରେ ଟିକାକରଣ ସଂଖ୍ୟା ୧୬୬ କୋଟି ୭୦ ଲକ୍ଷ ଟପିଛି। ସେଥିମଧ୍ୟରେ ୮୯ କୋଟି ୫୦ ଲକ୍ଷରୁ ଅଧିକ ପ୍ରଥମ ଡୋଜ୍‌ ଥିବାବେଳେ ୭୧ କୋଟି ୨୦ ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ୍‌ ରହିଛି।

Share