ଦୈନିକ ମୃତ୍ୟୁ ସଂଖ୍ୟା ପୁଣି ବଢ଼ିଲା…

ନୂଆଦିଲ୍ଲୀ, ୨୪।୨ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ କମିଥିଲେ ମଧ୍‌ୟ ମୃତ୍ୟୁ ସଂଖ୍ୟା ପୁଣି ବଢ଼ିଛି। ଏହି ସମୟରେ ଦୈନିକ ସଂକ୍ରମଣ ୧୫ ହଜାର ତଳେ ରହିଛି। ଦୈନିକ ସଂକ୍ରମଣ ୧୪ ହଜାର ୧୪୮ରେ ପହଞ୍ଚିଛି। ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଦେଶରେ କରୋନାରେ ଏହି ସମୟ ମଧ୍ୟରେ ୩୦୨ ଜଣଙ୍କ ମୃତ୍ୟୁ ଘଟିଛି।

ଗତକାଲି ଦୈନିକ ମୃତ୍ୟୁ ସଂଖ୍ୟା ୨୭୮ ଥିଲା। ଏହା ପୂର୍ବରୁ ଏହା ୨୩୫ ଥିଲା। ଗତ ୨୪ ଘଣ୍ଟାରେ ୩୯ ହଜାର ୯ ଜଣ ସୁସ୍ଥ ହୋଇଛନ୍ତି। ଅପରପକ୍ଷରେ ସକ୍ରିୟ ମାମଲା କମିବାରେ ଲାଗିଛି। ଏହି ସମୟରେ ସକ୍ରିୟ ମାମଲା ୧ ଲକ୍ଷ ୪୮ ହଜାର ୩୫୯ ରେ ପହଞ୍ଚିିଛି। ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୧୨ ହଜାର୯୨୪ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୨୮ ଲକ୍ଷ ୮୧ ହଜାର ୧୭୯ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୨୨ ଲକ୍ଷ ୧୯ ହଜାର ୮୯୬ ଜଣ ସୁସ୍ଥ ହୋଇ ସାରିଛନ୍ତି। ସୂଚନାଯୋଗ୍ୟ, ସମ୍ପ୍ରତି ଦେଶରେ ଟିକାକରଣ ସଂଖ୍ୟା ୧୭୬ କୋଟି ୫୦ ଲକ୍ଷ ଟପିଛି। ସେଥିମଧ୍ୟରେ ୯୦ କୋଟି ୮୦ ଲକ୍ଷରୁ ଅଧିକ ପ୍ରଥମ ଡୋଜ୍‌ ଥିବାବେଳେ ୭୫ କୋଟି ୮୦ ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ୍‌ ରହିଛି।

ଗତ ୨୪ ଘଣ୍ଟାରେ କେରଳର ସର୍ବାଧିକ ୫,୦୨୩ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ମହାରାଷ୍ଟ୍ରରେ ୧,୧୫୧ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Share