ଦୈନିକ ମୃତ୍ୟୁ ସଂଖ୍ୟା ୩୩…

ନୂଆଦିଲ୍ଲୀ, ୧୮।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣରେ ସାମାନ୍ୟ ବ୍ରେକ୍‌ ଲାଗି ଏହା ୧ ହଜାର ୮୨୯ ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୪୦ ତଳେ ରହିଛି। ଏହା ୩୩ରେ ପହଞ୍ଚିଛି। ଏହି ସମୟରେ ସକ୍ରିୟ ମାମଲା ୧୬ ହଜାର ତଳେ ରହିଛି। ଏହା ୧୫ ହଜାର ୬୪୭ ରହିଛି।

ସେହିପରି ୨୪ ଘଣ୍ଟାରେ ୨ ହଜାର ୫୪୯ ଜଣ ସୁସ୍ଥ ହୋଇଛନ୍ତି। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୪ ହଜାର ୨୯୩ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୩୧ ଲକ୍ଷ ୨୭ ହଜାର ୧୯୯ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୨୫ ଲକ୍ଷ ୮୭ ହଜାର ୨୫୯ ଜଣ ସୁସ୍ଥ ହୋଇ ସାରିଛନ୍ତି। ସମ୍ପ୍ରତି ଦେଶରେ ଟିକାକରଣ ସଂଖ୍ୟା ୧୯୧ କୋଟି ୭୦ ଲକ୍ଷରୁ ଅଧିକ ଟପିଛି। ସେଥିମଧ୍ୟରେ ୯୧ କୋଟି ୬୦ ଲକ୍ଷରୁ ଅଧିକ ପ୍ରଥମ ଡୋଜ୍‌ ଥିବାବେଳେ ୮୨ କୋଟି ୧୦ ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ୍‌ ରହିଛି।

ଭିଡ଼ ଯୋଗୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଥିରୁ ଦୂରେଇ ରହିବା ଲାଗି ପରାମର୍ଶ ଦିଆଯାଇଛି।ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ସର୍ବାଧିକ ୩୯୩ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି କେରଳରେ ୩୨୪ ଜଣ, ହରିୟାଣାରେ ୨୭୩ ଜଣ, ମହାରାଷ୍ଟ୍ରରେ ୨୬୬ ଜଣ, ଉତ୍ତରପ୍ରଦେଶରେ ୧୨୯ ଜଣ ଏବଂ କର୍ନାଟକରେ ୧୦୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Share