ଦୈନିକ ମୃତ୍ୟୁ ସଂଖ୍ୟା ୩ ଶହ ତଳେ, ଦୈନିକ ସଂକ୍ରମଣରେ ବ୍ରେକ୍‌…

ନୂଆଦିଲ୍ଲୀ, ୨୧।୨ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂକ୍ୟା କମିଛି। ଏହି ସମୟରେ ଦୈନିକ ସଂକ୍ରମଣ ୨୦ ହଜାର ତଳେ ରହିଛି। ଏହି ସମୟ ମଧ୍ୟରେ ୧୬ ହଜାର ୫୧ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।

ଦେଶରେ କରୋନାରେ ଏହି ସମୟ ମଧ୍ୟରେ ୨୦୬ ଜଣଙ୍କ ମୃତ୍ୟୁ ଘଟିଛି। ଗତ ୨୪ ଘଣ୍ଟାରେ ୩୭ ହଜାର ୯୦୧ ଜଣ ସୁସ୍ଥ ହୋଇଛନ୍ତି। ଅପରପକ୍ଷରେ ସକ୍ରିୟ ମାମଲା କମିବାରେ ଲାଗିଛି। ଏହି ସମୟରେ ସକ୍ରିୟ ମାମଲା ୨ ଲକ୍ଷ ୨ହଜାର ୧୩୧ ରେ ପହଞ୍ଚିିଛି। ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୧୨ ହଜାର ୧୦୯ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୨୮ ଲକ୍ଷ ୩୮ ହଜାର ୫୨୪ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୨୧ ଲକ୍ଷ ୨୪ ହଜାର ୨୮୪ ଜଣ ସୁସ୍ଥ ହୋଇ ସାରିଛନ୍ତି।

ଗତ ୨୪ ଘଣ୍ଟାରେ ଦେଶର ୬ଟି ରାଜ୍ୟ ମଧ୍ୟରେ କେରଳର ସର୍ବାଧିକ ୫,୪୨୭ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ମହାରାଷ୍ଟ୍ରରେ ୧,୪୩୭, ରାଜସ୍ଥାନରେ ୧,୦୨୨, କର୍ନାଟକରେ ୧,୦୦୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମଧ୍ୟପ୍ରଦେଶରେ ୯୫୦ ଏବଂ ତାମିଲନାଡୁରେ ୯୪୯ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସୂଚନାଯୋଗ୍ୟ, ସମ୍ପ୍ରତି ଦେଶରେ ଟିକାକରଣ ସଂଖ୍ୟା ୧୭୫କୋଟି ୫୦ ଲକ୍ଷ ଟପିଛି। ସେଥିମଧ୍ୟରେ ୯୦ କୋଟି ୭୦ ଲକ୍ଷରୁ ଅଧିକ ପ୍ରଥମ ଡୋଜ୍‌ ଥିବାବେଳେ ୭୫ କୋଟି ୩୦ ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ୍‌ ରହିଛି।

Share