ଦୈନିକ ମୃତ୍ୟୁ ସଂଖ୍ୟା ୫ ଶହ ତଳେ…

ନୂଆଦିଲ୍ଲୀ,୨୬।୭: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଧୀରେଧୀରେ ସୁଧାର ଆସିଲେ ମଧ୍ୟ ସ୍ଥିତି ସଙ୍କଟ ଜନକ ରହିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଲଗାତାର ୩ ଦିନ ଧରି ଦୈନିକ ସଂକ୍ରମଣ ୪୦ ହଜାର ତଳେ ରହିଛି। ସେହିପରି ମୃତ୍ୟୁ ସଂଖ୍ୟା ୫ ଶହ ତଳେ ରହିଛି। ଗତ ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୩୯ ହଜାର ୩୬୧ ରେ ପହଞ୍ଚିଛି। ସେହିପରି ଏହି ସମୟ ମଧ୍ୟରେ କରୋନାରେ ୪୧୬ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ସମୟ ମଧ୍ୟରେ ୩୫ ହଜାର ୯୬୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ବଢ଼ିବାରେ ଲାଗିଛି। ଏହା ୯୭.୩୬ ପ୍ରତିଶତ ଛୁଇଁଛି। ଅପରପକ୍ଷରେ ୪ ଲକ୍ଷ ୧୧ ହଜାର ୧୮୯ ଜଣ ଚିକିତ୍ସିତ ହେଉଛନ୍ତି। ଦୈନିକ ପଜିଟିଭ୍‌ ହାର ୧.୩୦ ପ୍ରତିଶତ ରହିଛି। ସକ୍ରିୟ ମାମଲା ୧. ୩୦ ପ୍ରତିଶତରେ ପହଞ୍ଚିଛି। ସେହିପରି ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ ଲକ୍ଷ ୨୦ ହଜାର ୯୬୭ ଛୁଇଁଥିବାବେଳେ ମୃତ୍ୟୁ ହାର ୧.୩୪ ପ୍ରତିଶତ ରହିଛି। ବର୍ତ୍ତମାନ ସୁଦ୍ଧା ୪୩ କୋଟି ୫୧ ଲକ୍ଷ ୯୬ ହଜାର ୧ ଜଣ ଲୋକଙ୍କୁ ଟିକାଦାନ ସରିଛି। ଅପରପକ୍ଷରେ ଇତିମଧ୍ୟରେ ୪୫ କୋଟି ୮୧ ଲକ୍ଷରୁ ଅଧିକ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର ପକ୍ଷରୁ କୁହାଯାଇଛି। ସଂକ୍ରମଣ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ୩ କୋଟି ୫ ଲକ୍ଷ ୭୯ ହଜାର ୧୦୬ ଜଣ ଲୋକ ସୁସ୍ଥ ହୋଇସାରିଛନ୍ତି। ଅପରପକ୍ଷରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୧୩ ଲକ୍ଷ ୭୧ହଜାର ୮୩୯ରେ ପହଞ୍ଚିଛି।

Share