ଦୈନିକ ମୃତ୍ୟୁ ସଂଖ୍ୟା ଉପର ମୁହାଁ, ଚିନ୍ତାରେ ସରକାର…

ନୂଆଦିଲ୍ଲୀ,୩୦।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୧୪ ହଜାର ୩୧୩ ରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ଦେଶରେ କରୋନାରେ ୫୪୯ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଦୈନିକ ମୃତ୍ୟୁ ସଂଖ୍ୟା ଉପର ମୁହାଁ ହେବା ଯୋଗୁ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ସେହିପରି ଏହି ସମୟ ମଧ୍ୟରେ ୧୩ ହଜାର ୫୪୩ ଜଣ ସୁସ୍ଥ ହୋଇଛନ୍ତି।

ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ୯୮.୧୯ ପ୍ରତିଶତ ରହିଛି। ଅପରପକ୍ଷରେ ସକ୍ରିୟ ମାମଲା ୧ ଲକ୍ଷ ୬୧ ହଜାର ୫୫୫ ରହିଛି। ୨୪୨ ଦିନ ପରେ ଏହା ସର୍ବନିମ୍ନ ଅଛି। ସାପ୍ତାହିକ ପଜିଟିଭ୍‌ ହାର ୧ ପ୍ରତିଶତରୁ କମ୍‌ ରହିଛି। ଦୈନିକ ପଜିଟିଭିଟି ହାର ୧.୧୦ ପ୍ରତିଶତ ରହିଛି। ସକ୍ରିୟ ମାମଲା ୦.୪୭ ପ୍ରତିଶତରେ ପହଞ୍ଚିଛି। ୨୦୨୦ ମାର୍ଚ୍ଚ ପରେ ଏହା ସର୍ବନିମ୍ନସ୍ତରରେ ପହଞ୍ଚିଛି।

ସେହିପରି ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ ଲକ୍ଷ ୫୭ ହଜାର ୭୪୦ ଛୁଇଁଥିବାବେଳେ ମୃତ୍ୟୁ ହାର ୧.୩୩ ପ୍ରତିଶତ ରହିଛି। ବର୍ତ୍ତମାନ ସୁଦ୍ଧା ୧୦୫ କୋଟି ୪୩ ଲକ୍ଷ ୧୩ ହଜାର ୯୭୭ ଜଣଙ୍କୁ ଟିକାଦାନ ସରିଛି। ଗତ ୨୪ ଘଣ୍ଟାରେ ୫୬ ଲକ୍ଷ ୯୧ ହଜାର ୧୭୫ ଜଣଙ୍କୁ ଟିକା ଦିଆଯାଇଛି। ଅପରପକ୍ଷରେ ଇତିମଧ୍ୟରେ ୬୦ କୋଟି ୬୯ ଲକ୍ଷ ୫୯ ହଜାର ୮୦୭ ଜଣ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର ପକ୍ଷରୁ କୁହାଯାଇଛି। ଗତ ୨୪ ଘଣ୍ଟାରେ ୧୧ ଲକ୍ଷ ୭୬ ହଜାର ୮୫୦ ଲୋକଙ୍କ ନମୁନା ପରୀକ୍ଷା କରାଯାଇଛି।

ସଂକ୍ରମଣ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ୩ କୋଟି ୩୬ ଲକ୍ଷ ୪୧ ହଜାର ୧୭୫ ଜଣ ଲୋକ ସୁସ୍ଥ ହୋଇସାରିଛନ୍ତି। ସେହିପରି ବର୍ତ୍ତମାନ ସୁଦ୍ଧା ମୋଟ ୩ କୋଟି ୪୨ ଲକ୍ଷ ୬୦ ହଜାର ୪୭୦ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କେରଳରେ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି।

Share