ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା ପୁଣି ଅଣାୟତ୍ତ…

ନୂଆଦିଲ୍ଲୀ, ୨୩।୪ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୨ ହଜାର ୫୨୭ ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩୩ ରହିଛି। ଅପରପକ୍ଷରେ ସକ୍ରିୟ ମାମଲା କମିବାରେ ଲାଗିଛି। ଏହି ସମୟରେ ସକ୍ରିୟ ମାମଲା ୧୫ ହଜାର ଟପିଛି। ଏହା ୧୫ ହଜାର ୭୯ ରହିଛି। ସେହିପରି ୨୪ ଘଣ୍ଟାରେ ୧ ହଜାର ୬୫୬ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୨ ହଜାର ୧୪୯ ଛୁଇଁଛି।

ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୩୦ ଲକ୍ଷ ୫୪ ହଜାର ୯୫୨ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୨୫ ଲକ୍ଷ ୧୭ ହଜାର ୭୨୪ଜଣ ସୁସ୍ଥ ହୋଇ ସାରିଛନ୍ତି। ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ସର୍ବାଧିକ ୧,୦୪୨ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।

ସେହିପରି ହରିୟାଣାରେ ୩୮୫ ଜଣ, କେରଳରେ ୩୧୫ଜଣ, ଉତ୍ତରପ୍ରଦେଶରେ ୧୮୭ ଜଣ ଏବଂ ମହାରାଷ୍ଟ୍ରରେ ୧୨୧ ମିଜୋରାମରେ ୧୧୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ, ସମ୍ପ୍ରତି ଦେଶରେ ଟିକାକରଣ ସଂଖ୍ୟା ୧୮୭ କୋଟି ୫୦ ଲକ୍ଷରୁ ଅଧିକ ଟପିଛି। ସେଥିମଧ୍ୟରେ ୯୧ କୋଟି ୪୦ ଲକ୍ଷରୁ ଅଧିକ ପ୍ରଥମ ଡୋଜ୍‌ ଥିବାବେଳେ ୮୦ କୋଟି ୬୦ ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ୍‌ ରହିଛି।

Share