ପୁଣି ବଢ଼ିଲା ଦୈନିକ ସଂକ୍ରମଣ …

ନୂଆଦିଲ୍ଲୀ, ୬।୪ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଦୈନିକ ସଂକ୍ରମଣ ହଜାରେ ତଳେ ରହିବା ପରେ ପୁଣି ବଢ଼ିଛି। ଏହା ହଜାରେ ୮୬ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୭୧ ରହିଛି।

ଅପରପକ୍ଷରେ ସକ୍ରିୟ ମାମଲା କମିବାରେ ଲାଗିଛି। ଏହି ସମୟରେ ସକ୍ରିୟ ମାମଲା ୧୫ ହଜାର ତଳେ ରହିଛି। ଏହା ୧୧ ହଜାର ୮୭୧ ରହିଛି। ସେହିପରି ୨୪ ଘଣ୍ଟାରେ ୧ ହଜାର ୧୯୮ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୧ ହଜାର ୪୮୭ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୩୦ ଲକ୍ଷ ୩୦ ହଜାର ୯୨୫ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୨୪ ଲକ୍ଷ ୯୭ ହଜାର ୫୬୭ ଜଣ ସୁସ୍ଥ ହୋଇ ସାରିଛନ୍ତି।

ସୂଚନାଯୋଗ୍ୟ, ସମ୍ପ୍ରତି ଦେଶରେ ଟିକାକରଣ ସଂଖ୍ୟା ୧୮୫ କୋଟିରୁ ଅଧିକ ଟପିଛି। ସେଥିମଧ୍ୟରେ ୯୧ କୋଟି ୩୦ ଲକ୍ଷରୁ ଅଧିକ ପ୍ରଥମ ଡୋଜ୍‌ ଥିବାବେଳେ ୭୯ କୋଟି ୭୦ ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ୍‌ ରହିଛି। ଗତ ୨୪ ଘଣ୍ଟାରେ କେରଳର ସର୍ବାଧିକ ୩୫୪ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ମିଜୋରାମ୍‌ରେ ୧୪୯, ମହାରାଷ୍ଟ୍ରରେ ୧୩୬ ଜଣ ଏବଂ ଦିଲ୍ଲୀରେ ୧୧୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Share