ଦୈନିକ ସଂକ୍ରମଣ ୪୦ ହଜାର ତଳେ…

ନୂଆଦିଲ୍ଲୀ, ୧୪।୨ : ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ଏହା ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟା କମିଛି। ଏହି ସମୟରେ ଦୈନିକ ସଂକ୍ରମଣ ୪୦ ହଜାର ତଳେ ରହିଛି।

ଦୈନିକ ସଂକ୍ରମଣ ୩୪ ହଜାର ୧୧୩ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଏହି ସମୟ ମଧ୍ୟରେ ଦେଶରେ କରୋନାରେ ୩୪୬ ଜଣଙ୍କ ମୃତ୍ୟୁ ଘଟିଛି। ଗତ ୨୪ ଘଣ୍ଟାରେ ୯୧ ହଜାର ୯୩୦ ଜଣ ସୁସ୍ଥ ହୋଇଛନ୍ତି। ଅପରପକ୍ଷରେ ସକ୍ରିୟ ମାମଲା ୫ ଲକ୍ଷ ତଳେ ପହଞ୍ଚିଛି। ଏହି ସମୟରେ ସକ୍ରିୟ ମାମଲା ୪ ଲକ୍ଷ ୭୮ ହଜାର ୮୮୨ରେ ପହଞ୍ଚିିଛି।

ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୯ ହଜାର ୧୧ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୨୬ ଲକ୍ଷ ୬୫ ହଜାର ୫୩୪ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୧୬ ଲକ୍ଷ ୭୭ ହଜାର ୬୪୧ ଜଣ ସୁସ୍ଥ ହୋଇ ସାରିଛନ୍ତି।

ଗତ ୨୪ ଘଣ୍ଟାରେ ଦେଶର ୬ଟି ରାଜ୍ୟ ମଧ୍ୟରେ କେରଳର ସର୍ବାଧିକ ୧୧,୧୩୬ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ମହାରାଷ୍ଟ୍ରରେ ୩,୫୦୨, କର୍ନାଟକରେ ୨,୩୭୨, ତାମିଲନାଡୁରେ ୨,୨୯୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜସ୍ଥାନରେ ୨,୧୭୭ ଏବଂ ଗୁଜୁରାଟରେ ୧,୨୭୪ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସୂଚନାଯୋଗ୍ୟ, ସମ୍ପ୍ରତି ଦେଶରେ ଟିକାକରଣ ସଂଖ୍ୟା ୧୭୩ କୋଟିରୁ ଅଧିକ ଟପିଛି। ସେଥିମଧ୍ୟରେ ୯୦ କୋଟି ୫୦ ଲକ୍ଷରୁ ଅଧିକ ପ୍ରଥମ ଡୋଜ୍‌ ଥିବାବେଳେ ୭୪ କୋଟିରୁ ଅଧିକ ଦ୍ୱିତୀୟ ଡୋଜ୍‌ ରହିଛି।

Share