ଦୈନିକ ସଂକ୍ରମଣ ୫୦ ହଜାର ତଳେ…

ନୂଆଦିଲ୍ଲୀ, ୧୩।୨ : ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ଏହା ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟା କମିଛି। ଏହି ସମୟରେ ଦୈନିକ ସଂକ୍ରମଣ ୫୦ ହଜାର ତଳେ ରହିଛି।

ଦୈନିକ ସଂକ୍ରମଣ ୪୪ ହଜାର ୮୭୭ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଏହି ସମୟ ମଧ୍ୟରେ ଦେଶରେ କରୋନାରେ ୬୮୪ ଜଣଙ୍କ ମୃତ୍ୟୁ ଘଟିଛି। ଗତ ୨୪ ଘଣ୍ଟାରେ ୧ ଲକ୍ଷ ୧୭ ହଜାର ୫୯୧ ଜଣ ସୁସ୍ଥ ହୋଇଛନ୍ତି। ଅପରପକ୍ଷରେ ସକ୍ରିୟ ମାମଲା ୬ ଲକ୍ଷ ତଳେ ପହଞ୍ଚିଛି।

ଏହି ସମୟରେ ସକ୍ରିୟ ମାମଲା ୫ ଲକ୍ଷ ୩୭ ହଜାର ୪୫ରେ ପହଞ୍ଚିିଛି। ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୮ ହଜାର ୬୬୫ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୨୬ ଲକ୍ଷ ୩୧ ହଜାର ୪୨୧ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୧୫ ଲକ୍ଷ ୮୫ ହଜାର ୭୧୧ ଜଣ ସୁସ୍ଥ ହୋଇ ସାରିଛନ୍ତି।

ଗତ ୨୪ ଘଣ୍ଟାରେ ଦେଶର ୬ଟି ରାଜ୍ୟ ମଧ୍ୟରେ କେରଳର ସର୍ବାଧିକ ୧୫,୧୮୪ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ମହାରାଷ୍ଟ୍ରରେ ୪,୩୫୯, କର୍ନାଟକରେ ୩,୨୦୨, ତାମିଲନାଡୁରେ ୨,୮୧୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜସ୍ଥାନରେ ୨,୬୦୬ ଏବଂ ଗୁଜୁରାଟରେ ୧,୬୪୬ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସୂଚନାଯୋଗ୍ୟ, ସମ୍ପ୍ରତି ଦେଶରେ ଟିକାକରଣ ସଂଖ୍ୟା ୧୭୨ କୋଟି ୮୦ ଲକ୍ଷ ଟପିଛି। ସେଥିମଧ୍ୟରେ ୯୦ କୋଟି ୪୦ ଲକ୍ଷରୁ ଅଧିକ ପ୍ରଥମ ଡୋଜ୍‌ ଥିବାବେଳେ ୭୪ କୋଟିରୁ ଅଧିକ ଦ୍ୱିତୀୟ ଡୋଜ୍‌ ରହିଛି।

Share