୭ ହଜାର ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୩୦।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢୁଛି। ଦୈନିକ ସଂକ୍ରମଣ ୭ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୬ ହଜାର ୯୯୦ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହି ସମୟ ମଧ୍ୟରେ ଦେଶରେ କରୋନାରେ ୧୯୦ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସେହିପରି ୧୦ ହଜାର ୧୧୬ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ୯୮.୩୫ ପ୍ରତିଶତ ରହିଛି। ଅପରପକ୍ଷରେ ସକ୍ରିୟ ମାମଲା ୧ ଲକ୍ଷ ୫୪୩ ରହିଛି। ୫୪୪ ଦିନ ପରେ ଏହା ସର୍ବନିମ୍ନ ରହିଛି। ସାପ୍ତାହିକ ପଜିଟିଭ୍‌ ହାର ୦.୯୪ ପ୍ରତିଶତରୁ କମ୍‌ ରହିଛି। ଦୈନିକ ପଜିଟିଭିଟି ହାର ୦.୯୮ ପ୍ରତିଶତ ରହିଛି। ସକ୍ରିୟ ମାମଲା ୦.୨୯ ପ୍ରତିଶତରେ ପହଞ୍ଚିଛି।

ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ ଲକ୍ଷ ୬୮ ହଜାର ୯୮୦ ଛୁଇଁଥିବାବେଳେ ମୃତ୍ୟୁ ହାର ୧.୩୬ ପ୍ରତିଶତ ରହିଛି। ବର୍ତ୍ତମାନ ସୁଦ୍ଧା ୧୨୩ କୋଟି ୨୫ ଲକ୍ଷ ୨ ହଜାର ୭୬୭ ଜଣଙ୍କୁ ଟିକାଦାନ ସରିଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୧୦ ଲକ୍ଷ ୧୨ ହଜାର ୫୨୩ ଜଣଙ୍କ ନମୁନା ପରୀକ୍ଷା କରାଯାଇଛି ବୋଲି ଆଇସିଏମ୍‌ଆର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସଂକ୍ରମଣ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ୩ କୋଟି ୪୦ ଲକ୍ଷ ୧୮ ହଜାର ୨୯୯ ଲୋକ ସୁସ୍ଥ ହୋଇସାରିଛନ୍ତି। ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୪୫ ଲକ୍ଷ ୫୭ ହଜାର ୮୮୨ରେ ପହଞ୍ଚିଛି। ତେବେ ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌କୁ ନେଇ ଏବେ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି।

 

Share