ଦୈନିକ ସଂକ୍ରମଣ ହଜାରେ ତଳେ, ମୃତ୍ୟୁ ସଂଖ୍ୟା ୪…

ନୂଆଦିଲ୍ଲୀ, ୧୬।୪ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ କମି ହଜାରେ ତଳେ ରହିଛି। ଏହା ୯୭୫ ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୪ ରହିଛି। ଅପରପକ୍ଷରେ ସକ୍ରିୟ ମାମଲା କମିବାରେ ଲାଗିଛି।

ଏହି ସମୟରେ ସକ୍ରିୟ ମାମଲା ୧୨ ହଜାର ତଳେ ରହିଛି। ଏହା ୧୧ ହଜାର ୩୬୬ ରହିଛି। ସେହିପରି ୨୪ ଘଣ୍ଟାରେ ୭୯୬ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୧ ହଜାର ୭୪୭ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୩୦ ଲକ୍ଷ ୪୦ ହଜାର ୯୪୭ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୨୫ ଲକ୍ଷ ୭ ହଜାର ୮୩୪ ଜଣ ସୁସ୍ଥ ହୋଇ ସାରିଛନ୍ତି।

ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୩୬୬ ଜଣ, ହରିୟାଣାରେ ୧୭୪ ଜଣ ଏବଂ ଉତ୍ତରପ୍ରଦେଶରେ ୧୦୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ, ସମ୍ପ୍ରତି ଦେଶରେ ଟିକାକରଣ ସଂଖ୍ୟା ୧୮୬ କୋଟି ୪୦ ଲକ୍ଷରୁ ଅଧିକ ଟପିଛି। ସେଥିମଧ୍ୟରେ ୯୧ କୋଟି ୪୦ ଲକ୍ଷରୁ ଅଧିକ ପ୍ରଥମ ଡୋଜ୍‌ ଥିବାବେଳେ ୮୦ କୋଟି ୩୦ ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ୍‌ ରହିଛି।

Share