Categories: ଜାତୀୟ

୫ ଶହ ମୁହାଁ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୧୧।୩: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା ବଢ଼ିଛି। ସେହିପରି ସକ୍ରିୟ ମାମଲାରେ ବୃଦ୍ଧି ଦେଖିବାକୁ ମିଳିଛି। ଦୈନିକ ପଜିଟିଭ୍‌ ହାର ଏକ ପ୍ରତିଶତରୁ କମ ହୋଇଛି ଏବଂ ସୁସ୍ଥତା ହାରରେ ମଧ୍ୟ ଉନ୍ନତି ହୋଇଛି।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି ପ୍ରେସ ବିଜ୍ଞପ୍ତି ଅନୁସାରେ ଦେଶରେ ସୁସ୍ଥତା ହାର ବୃଦ୍ଧି ପାଇ ୯୮.୮୧ ପ୍ରତିଶତ ରହିଛି। ସେହିପରି ସକ୍ରିୟ ମାମଲା ୦.୦୧ ପ୍ରତିଶତ ରହିଛି। ଦୈନିକ ସଂକ୍ରମଣ ୦.୧୧ ପ୍ରତିଶତ ଏବଂ ସାପ୍ତାହିକ ସଂକ୍ରମଣ ୦.୮ ପ୍ରତିଶତ ରହିଛି। ଅପରପକ୍ଷରେ ମୃତ୍ୟୁ ହାର କମି ୧.୧୯ ପ୍ରତିଶତରେ ପହଞ୍ଚିଛି।
ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ପୁଣି ବଢ଼ି ୫ ଶହ ମୁହାଁ ହୋଇଛି। ଏହା ୪୫୬ ଛୁଇଁଛି। ଗୋଟିଏ ଦିନ ତଳେ ଏହା ୪୪୦ଥିଲା। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୩ ଥିଲା। ଏହି ସମୟରେ ସକ୍ରିୟ ମାମଲା ୩ ହଜାର ଉପରେ ରହିଛି। ଏହା ୩ ହଜାର ୪୦୬ ରେ ପହଞ୍ଚିଛି। ସେହିପରି ୨୪ ଘଣ୍ଟାରେ ୩୪୩ ଜଣ ସୁସ୍ଥ ହୋଇଛନ୍ତି। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୩୦ ହଜାର ୭୮୦ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୪୬ ଲକ୍ଷ ୮୯ ହଜାର ୯୬୮ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୪୧ ଲକ୍ଷ ୫୫ ହଜାର ୭୮୨ ଜଣ ସୁସ୍ଥ ହୋଇ ସାରିଛନ୍ତି।

Share