ପୁଣି ବଢ଼ିଲା ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୨୫।୧: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା କମିଛି।
ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ପୁଣି ବଢ଼ି ଶହେ ଉପରେ ରହିଛି। ଏହା ୧୦୨ ଛୁଇଁଛି। ଗୋଟିଏ ଦିନ ତଳେ ଏହା ୮୮ ଥିଲା। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ଶୂନରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୧ ଥିଲା। ଏହି ସମୟରେ ସକ୍ରିୟ ମାମଲା ୧ ହଜାର ୯୨୨ ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୧ ହଜାର ୯୩୧ ଥିଲା। ସେହିପରି ୨୪ ଘଣ୍ଟାରେ ୧୧୧ ଜଣ ସୁସ୍ଥ ହୋଇଛନ୍ତି। ଗୋଟିଏ ଦିନ ତଳେ ଏହା ୯୦ ଥିଲା। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୩୦ ହଜାର ୭୩୭ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୪୬ ଲକ୍ଷ ୮୨ ହଜାର ୨୦୬ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୪୧ ଲକ୍ଷ ୪୯ ହଜାର ୫୪୭ ଜଣ ସୁସ୍ଥ ହୋଇ ସାରିଛନ୍ତି।
ଦୈନିକ ପଜିଟିଭ୍‌ ହାର ଏକ ପ୍ରତିଶତରୁ କମ ହୋଇଛି ଏବଂ ସୁସ୍ଥତା ହାରରେ ମଧ୍ୟ ଉନ୍ନତି ହୋଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି ପ୍ରେସ ବିଜ୍ଞପ୍ତି ଅନୁଯାୟ ଦେଶରେ ସୁସ୍ଥତା ହାର ବୃଦ୍ଧି ପାଇ ୯୮.୮୦ ପ୍ରତିଶତ ରହିଛି। ସେହିପରି ସକ୍ରିୟ ମାମଲା ୦.୦୧ ପ୍ରତିଶତ ରହିଛି। ଦୈନିକ ସଂକ୍ରମଣ ୦.୧୧ ପ୍ରତିଶତ ଏବଂ ସାପ୍ତାହିକ ସଂକ୍ରମଣ ୦.୧୦ ପ୍ରତିଶତ ରହିଛି। ଅପରପକ୍ଷରେ ମୃତ୍ୟୁ ହାର କମି ୧.୧୯ ପ୍ରତିଶତରେ ପହଞ୍ଚିଛି।
ଚାଇନାରେ ଆତଙ୍କ ସୃଷ୍ଟି କରିଥିବା ବିଏଫ୍‌.୭ ଭାରିଆଣ୍ଟ ନେଇ ସତର୍କ ରହିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। ତେବେ ଭାରତରେ ସଂକ୍ରମଣ ହେବାର କୌଣସି ଆଶଙ୍କା ନ ଥିବା ବିଶେଷଜ୍ଞ ମତପୋଷଣ କରିଛନ୍ତି। ମାସ୍କ ପିନ୍ଧିବା ଅଧିକରୁ ଅଧିକ ନମୁନା ପରୀକ୍ଷା କରିବା ଏବଂ ଟିକାକରଣକୁ ବଢ଼ାଇବା ପାଇଁ ସରକାରଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସରକାରଙ୍କ ପକ୍ଷରୁ ସ୍ଥିତି ଉପରେ ତୀକ୍ଷ୍‌ଣ ନଜର ରଖାଯାଇଛି। ଦୈନିକ ସଂକ୍ରମଣ-ସକ୍ରିୟ ମାମଲାକୁ ନେଇ ସରକାର ଚିନ୍ତାରେ ରହିଛନ୍ତି।

Share