ପୁଣି ବଢ଼ିଲା ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୩।୮ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ ମୁହାଁ ହେବାରେ ଲାଗିଛି। ପୁଣି ସଙ୍କଟ ଘନେଇବାରେ ଲାଗିଛି। ଫଳରେ ପୁଣି ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ଲକ୍ଷେ ୩୭ ହଜାରରୁ ଅଧିକ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ପୁଣି ବଢ଼ିଛି।

ଏହା ୧୭ ହଜାର ୧୩୫ ରହିଛି। ଗୋଟିଏ ଦିନ ତଳେ ଏହା ୧୩ ହଜାର ୭୩୪ ଥିଲା। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ବଢ଼ି ୪୭ ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୩୪ ଥିଲା। ଏହି ସମୟରେ ସକ୍ରିୟ ମାମଲା ଲକ୍ଷେ ୩୭ ହଜାର ୫୭ ରେ ପହଞ୍ଚିଛି। ସେହିପରି ୨୪ ଘଣ୍ଟାରେ ୧୯ ହଜାର ୮୨୩ ଜଣ ସୁସ୍ଥ ହୋଇଛନ୍ତି। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୬ ହଜାର ୪୭୭ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୪୦ ଲକ୍ଷ ୬୭ ହଜାର ୧୪୪ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୩୪ ଲକ୍ଷ ୩ ହଜାର ୬୧୦ ଜଣ ସୁସ୍ଥ ହୋଇ ସାରିଛନ୍ତି।

କେରଳ, ତାମିଲନାଡୁ, କର୍ନାଟକ ଆଦି ରାଜ୍ୟରେ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୧,୮୮୬ ଜଣ, ପଶ୍ଚିମବଙ୍ଗରେ ୮୮୩ ଜଣ, ତାମିଲନାଡୁରେ ୧,୩୦୨ ଜଣ, ପଞ୍ଜାବରେ ୪୮୬ ଜଣ କେରଳରେ ୧,୦୫୭ ଜଣ, କର୍ନାଟକରେ ୧,୭୩୬ ଜଣ, ଓଡ଼ିଶାରେ ୯୨୦ ଜଣ, ଗୁଜରାଟରେ ୮୭୪ ଜଣ, ଆସାମରେ ୬୮୬ ଜଣ, ତେଲେଙ୍ଗାନାରେ ୧,୦୫୪, ଆସାମରେ ୫୦୮ ଜଣ, ହିମାଚଳପ୍ରଦେଶରେ ୮୩୪ ଜଣ, ଛତିଶଗଡ଼ରେ ୫୧୮ ଜଣ, ଦିଲ୍ଲୀରେ ୧,୫୦୬ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।

ସେହିପରି ହରିୟାଣାରେ ୬୨୩ ଜଣ, ଆନ୍ଧ୍ରପ୍ରଦେଶରେ ୨୯୭ ଜଣ,ଉତ୍ତରପ୍ରଦେଶରେ ୫୭୯ ଜଣ, ଜମ୍ମୁ-କଶ୍ମୀରରେ ୭୪୧ ଜଣ, ବିହାରରେ ୧୮୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ରାଜସ୍ଥାନରେ ୩୦୦ ଜଣ, ମଧ୍ୟପ୍ରଦେଶରେ ୧୬୪ ଜଣ, ଉତ୍ତରାଖଣ୍ଡରେ ୩୪୬ ଜଣ, ପୁଡୁଚେରୀରେ ୧୧୯ ଜଣ, ତ୍ରିପୁରାରେ ୧୫୩ ଜଣ, ଚଣ୍ଡିଗଡ଼ରେ ୫୯୫ ଜଣ, ତ୍ରିପୁରାରେ ୧୭୮ ଜଣ, ଗୋଆରେ ୧୬୩ ଜଣ, ଝାଡ଼ଖଣ୍ଡରେ ୧୩୭ ଜଣ, ସିକିମ୍‌ରେ ୧୧୭ଜଣ, ଚଣ୍ଡିଗଡ଼ରେ ୧୦୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସମ୍ପ୍ରତି ଦେଶରେ ଟିକାକରଣ ସଂଖ୍ୟା ୨୦୪ କୋଟି ୬୦ ଲକ୍ଷ ୮୧ ହଜାର ୮୧ ରେ ପହଞ୍ଚିଛି। ସେଥିମଧ୍ୟରେ ୯୨ କୋଟିରୁ ଅଧିକ ପ୍ରଥମ ଡୋଜ୍‌ ଥିବାବେଳେ ୮୫ କୋଟି ୪୦ ଲକ୍ଷ ଦ୍ୱିତୀୟ ଡୋଜ୍‌ ରହିଛି । ଗତ ୨୪ ଘଣ୍ଟାରେ ୨୬ ଲକ୍ଷ ୭୭ ହଜାର ୪୦୫ ଟିକା ପ୍ରଦାନ କରାଯାଇଛି। ଭିଡ଼ ଯୋଗୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଥିରୁ ଦୂରେଇ ରହିବା ଲାଗି ପରାମର୍ଶ ଦିଆଯାଇଛି। ଏହା ସହିତ ମାସ୍କ ପିନ୍ଧିବା ଏବଂ କରୋନା ମାର୍ଗଦର୍ଶିକା ପାଳନ କରିବାକୁ କୁହାଯାଇଛି।

Share