୩ ଲକ୍ଷ ମୁହାଁ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୧୯।୧ : ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି। ଫଳରେ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଦୈନିକ ସଂକ୍ରମଣ ଏବେ ୩ ଲକ୍ଷ ମୁହାଁ ହେବାରେ ଲାଗିଛି।

ଗତ ୨୪ ଘଣ୍ଟାରେ ୨ ଲକ୍ଷ ୮୨ ହଜାର ୯୭୦ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଗତ କାଲି ତୁଳନାରେ ଦୈନିକ ସଂକ୍ରମଣ ୪୪ ହଜାର ୮୮୯ ଅଧିକ ରହିଛି। ଏପରି ଧାରା ଜାରି ରହିଲେ ଆଉ ଗୋଟିଏ ଦିନ ପରେ ଦୈନିକ ସଂକ୍ରମଣ ୩ ଲକ୍ଷରୁ ଅଧିକରେ ପହଞ୍ଚିବାର ଆଶଙ୍କା ରହିଛି।

ସେହିପରି ଏହି ସମୟ ମଧ୍ୟରେ ଦେଶରେ କରୋନାରେ ୪୪୧ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ମୃତ୍ୟୁ ସଂଖ୍ୟା ଯୋଗୁ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ସେହିପରି ୧ ଲକ୍ଷ ୮୮ ହଜାର ୧୫୭ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର କମି ୯୪.୨୭ ପ୍ରତିଶତରେ ପହଞ୍ଚିଛି।

ଅପରପକ୍ଷରେ ସକ୍ରିୟ ମାମଲା ୧୮ ଲକ୍ଷ ୩୧ ହଜାରରେ ପହଞ୍ଚିିଛି। ଦୈନିକ ପଜିଟିଭିଟି ହାର ୧୫.୧୩ ପ୍ରତିଶତ ରହିଛି। ସାପ୍ତାହିକ ସଂକ୍ରମଣ ହାର ୧୪.୪୧ ପ୍ରତିଶତ ରହିଛି। ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ ଲକ୍ଷ ୮୭ ହଜାର ୨୦୨ ଛୁଇଁଛି।

ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୩ କୋଟି ୭୯ଲକ୍ଷ ୧ ହଜାର ୨୪୧ ଜଣ ଆକ୍ରାନ୍ତ ହୋଇଥିବାବେଳେ ୩ କୋଟି ୫୫ ଲକ୍ଷ ୮୩ ହଜାର ୩୯ ଜଣ ସୁସ୍ଥ ହୋଇଛନ୍ତି।

ଦେଶରେ ୧୫୮ କୋଟି ୯୦ ଲକ୍ଷରୁ ଅଧିକ ଜଣଙ୍କୁ ଟିକାଦାନ କରାଯାଇଛି। ସେଥିମଧ୍ୟରେ ୮୭ କୋଟି ୯୦ ଲକ୍ଷରୁ ଅଧିକ ପ୍ରଥମ ଡୋଜ୍‌ ଥିବାବେଳେ ୬୬ କୋଟି ୭୦ ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ୍‌ ରହିଛି।

ଇତିମଧ୍ୟରେ ଦେଶର ୨୯ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୮ ହଜାର ଟପିଛି। ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ୮,୯୬୧ ଛୁଇଁଛି। ଦୈନିକ ଓମିକ୍ରନ୍‌ ଆ୍ରକାନ୍ତଙ୍କକ ସଂଖ୍ୟାରେ ୦.୭୯ ପ୍ରତିଶତ ବୃଦ୍ଧି ଘଟିଛି।

Share