୨ ଲକ୍ଷ ମୁହାଁ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୧୦।୧ : ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି। ଫଳରେ ସ୍ଥିତି ଅଣାୟତ୍ତ ହେବା ସହ ବିପଦ ପୁଣି ଘନେଇବାରେ ଲାଗିଛି। ଦୈନିକ ସଂକ୍ରମଣ ୨ ଳକ୍ଷ ମୁହା ହେବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୧ ଳକ୍ଷ ୭୯ ହଜାର ୭୨୩ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।

ଏପରି ଧାରା ଜାରି ରହିଲେ ଗୋଟିଏ ଦିନ ମଧ୍ୟରେ ଦୈନିକ ସଂକ୍ରମଣ ୨ ଲକ୍ଷରେ ପହଞ୍ଚିବାର ଆଶଙ୍କା ସୃଷ୍ଟି ହୋଇଛି। ଏହି ସମୟ ମଧ୍ୟରେ ଦେଶରେ କରୋନାରେ ୧୪୬ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସେହିପରି ୪୬ ହଜାର ୫୬୯ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର କମି ୯୬.୯୮ ପ୍ରତିଶତରେ ପହଞ୍ଚିଛି।

ଅପରପକ୍ଷରେ ସକ୍ରିୟ ମାମଲା ୭ ଲକ୍ଷ ୨୩ ହଜାର ୬୧୯ ରେ ପହଞ୍ଚିିଛି। ଦୈନିକ ପଜିଟିଭିଟି ହାର ୧୩.୨୯ ପ୍ରତିଶତକୁ ବୃଦ୍ଧି ପାଇଛି। ସାପ୍ତାହିକ ସଂକ୍ରମଣ ହାର ୭.୯୨ ପ୍ରତିଶତ ରହିଛି। ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ ଲକ୍ଷ ୮୩ ହଜାର ୯୩୬ ଛୁଇଁଥିବାବେଳେ ମୃତ୍ୟୁ ହାର ୧.୩୮ ପ୍ରତିଶତ ରହିଛି। ବର୍ତ୍ତମାନ ସୁଦ୍ଧା ୧୫୧ କୋଟିରୁ ଅଧିକ ଜଣଙ୍କୁ ଟିକାଦାନ ସରିଛି। ଇତିମଧ୍ୟରେ ୬୯ କୋଟି ୧୫ ଲକ୍ଷ ୭୫ ହଜାର ୩୫୨ ଜଣଙ୍କ ନମୁନା ପରୀକ୍ଷା କରାଯାଇଛି।

ଗତ ୨୪ ଘଣ୍ଟାରେ ୧୩ ଲକ୍ଷ ୫୨ ହଜାର ୭୧୭ ଜଣଙ୍କ ନମୁନା ପରୀକ୍ଷା କରାଯାଇଛି। ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୫୭ ଲକ୍ଷ ୭ ହଜାର ୭୨୭ରେ ପହଞ୍ଚିଛି। ସେହିପରି ୩ କୋଟି ୪୫ ଲକ୍ଷ ୧୭୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଦୈନିକ ସଂକ୍ରମଣ ପୁଣି ବଢୁଥିବାରୁ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି।

Share