ଦୈନିକ ସଂକ୍ରମଣ ଲକ୍ଷେ ଛୁଇଁବ

ନୂଆଦିଲ୍ଲୀ, ୧୮।୭: ଭାରତରେ ଅଗଷ୍ଟ ଶେଷ ବେଳକୁ କୋଭିଡ୍‌ ସଂକ୍ରମଣର ତୃତୀୟ ଲହର ଦେଖାଦେବ। ସେହି ସମୟରେ ଦୈନିକ ସଂକ୍ରମଣ ୧ ଲକ୍ଷ ଛୁଇଁବା ସମ୍ଭାବନା ରହିଛି ବୋଲି ଇଣ୍ଡିଆନ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର୍‌)ର ବରିଷ୍ଠ ବୈଜ୍ଞାନିକ ସୂଚନା ଦେଇଛନ୍ତି। ବର୍ତ୍ତମାନ ସ୍ଥିତିରେ ଯଦି ଭୂତାଣୁର ଅଧିକ ସଂକ୍ରାମକ ନୂଆ ରୂପ ସୃଷ୍ଟି ନ ହୁଏ ତେବେ ପ୍ରଥମ ଲହର ଭଳି ସ୍ଥିତି ରହିବ ବୋଲି ଆଇସିଏମ୍‌ଆର୍‌ରେ ମହାମାରୀ ଓ ସଂକ୍ରାମକ ରୋଗ ବିଭାଗ ମୁଖ୍ୟ ଥିବା ପ୍ରଫେସର ସମିରନ୍‌ ପଣ୍ଡା କହିଛନ୍ତି। ଯଦି ଭୂତାଣୁ ନୂଆ ରୂପ ନିଏ, ତେବେ ସ୍ଥିତି ଖରାପ ହୋଇପାରେ ବୋଲି ସେ ସତର୍କ କରାଇଛନ୍ତି। ଟିକାକରଣ ହାର କମ୍‌ ରହିବା ସହ କଟକଣା କୋହଳ କରାଗଲେ ସଂକ୍ରମଣ ବଢ଼ିବା ନେଇ ଆଇସିଏମ୍‌ଆର୍‌ ଏବଂ ଇମ୍ପେରିଆଲ କଲେଜ ଲଣ୍ଡନର ଗାଣିତିକ ମଡେଲ୍‌ରୁ ସୂଚନା ମିଳୁଛି। ତେବେ ଏହା ଦ୍ୱିତୀୟ ଲହର ଭଳି ଗୁରୁତର ହେବନାହିଁ ବୋଲି ଡ. ପଣ୍ଡା କହିଛନ୍ତି।
ଦେଶରେ କରୋନା ସଂକ୍ରମଣ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ଶନିବାର ୩୮,୦୭୯କୁ ହ୍ରାସ ପାଇଛି। ଏହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩,୧୦,୬୪,୯୦୮ରେ ପହଞ୍ଚତ୍ଛି। ସେହିପରି ଗତ ୨୪ ଘଣ୍ଟାରେ ୫୬୦ ଜଣଙ୍କ ମୃତ୍ୟୁ ଘଟିଛି।

 

ବିଶ୍ୱରେ ୧୮୮.୯ ନିୟୁତ ମାମଲା

 

ସାରା ବିଶ୍ୱରେ କୋଭିଡ୍‌-୧୯ ମାମଲା ସଂଖ୍ୟା ୧୮୮.୯ ନିୟୁତ ଅତିକ୍ରମ କରିଛି। ମୃତ୍ୟୁସଂଖ୍ୟା ୪୦.୭ ଲକ୍ଷ ଟପିଥିବାବେଳେ ବର୍ତ୍ତମାନ ସୁଦ୍ଧା ୩୫୬ କୋଟିରୁ ଊର୍ଦ୍ଧ୍ୱ ଟିକା ଦିଆଗଲାଣି। ଆମେରିକାରେ ସଂକ୍ରମଣ ସର୍ବାଧିକ ରହିଛି। ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୩୩,୪୦,୫୧,୦୨୩ ହୋଇଥିବାବେଳେ ୬,୦୮,୮୦୯ ଜଣଙ୍କ ମୃତ୍ୟୁ ଘଟିଛି। ସେଠାରେ ଟିକା ନେଇ ନ ଥିବା ଲୋକଙ୍କ ମଧ୍ୟରେ ସଂକ୍ରମଣ ପୁଣିଥରେ ବଢ଼ିବାରେ ଲାଗିଛି। ସେହିପରି ବ୍ରିଟେନରେ ମଧ୍ୟ ଦୈନିକ ସଂକ୍ରମଣ ୫୦ ହଜାର ଅତିକ୍ରମ କରିଛି। ୩,୧୦,୨୬,୮୨୯ ସଂକ୍ରମଣ ସହ ଭାରତ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଏହା ପଛକୁ ବ୍ରାଜିଲ, ଫ୍ରାନ୍ସ, ରୁଷିଆ, ତୁର୍କୀ ଓ ବ୍ରିଟେନ ରହିଛି। ଅନ୍ୟପକ୍ଷରେ ମୃତ୍ୟୁସଂଖ୍ୟାରେ ବ୍ରାଜିଲ ଦ୍ୱିତୀୟ ସ୍ଥାନରେ ଅଛି। ସେଠାରେ ୫,୪୦,୩୯୮ ଜଣଙ୍କର କୋଭିଡ୍‌ରେ ମୃତ୍ୟୁ ହେଲାଣି।

Share