ଡେଲି ମାର୍କେଟ୍‌ ରାସ୍ତା ବିପଦପୂର୍ଣ୍ଣ

ଯୋଡ଼ା,୧୬ା୧୧(ମାନସ ମହାନ୍ତି)କେନ୍ଦୁଝର ଜିଲା ଯୋଡ଼ା ସହରର ମୁଖ୍ୟ ପରିବା ବଜାରକୁ ରାସ୍ତା ନାହିଁ। ନିମ୍ନମାନର ନିର୍ମାଣ ଯୋଗୁ ରାସ୍ତା ଅବସ୍ଥା ଏପରି ହୋଇଛି ଯେ, ପ୍ରତିଦିନ ପରିବା ବ୍ୟବସାୟୀ, ଗ୍ରାହକମାନେ ଖସି ପଡ଼ି ଆହତ ହେଉଛନ୍ତି। ବିପଦପୂର୍ଣ୍ଣ ରାସ୍ତାକୁ ନେଇ ବ୍ୟବସାୟୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି।
ସୂଚନା ଅନୁଯାୟୀ, ଯୋଡ଼ାର ମୁଖ୍ୟ ରାସ୍ତା କଡ଼ ତଥା ପୋଷ୍ଟ ଅଫିସ ସନ୍ନିକଟ ଦୈନିକ ପରିବା ବଜାର ରାସ୍ତା ନିର୍ମାଣ ବେଳେ ରାସ୍ତା ଉପରେ ମାଟି ଗଦା ହୋଇ ରହିଛି। ଫଳରେ ତୀକ୍ଷଣ ଗଡ଼ାଣିଆ ରାସ୍ତାରେ ପ୍ରତିଦିନ ନିତ୍ୟ ବ୍ୟବହାର୍ଯ୍ୟ ପରିବା କିଣିବାକୁ ପାଇଁ ଆସୁଥିବା ଗ୍ରାହକ ଖସି ପଡ଼ୁଛନ୍ତି। ରାସ୍ତାଟି ଦିପୁ ହଟିଂ ବସ୍ତି ବାସିନ୍ଦାଙ୍କ ମୁଖ୍ୟ ରାସ୍ତା ହୋଇଥିବା ବେଳେ ଦୁଇ ଚକିଆ ଯାନ ମଧ୍ୟ ରାସ୍ତାଦେଇ ଯାଇପାରୁନାହିଁ। ପରିବା ବ୍ୟବସାୟୀ ସବିତା ମହାନ୍ତ, ଆଦିତ୍ୟ ହେମ୍ବ୍ରମ, ରଇବାରି ଦାସ, ନେତ୍ରମଣି ମହାନ୍ତ, ପାନ ତନ୍ତୀ, ଗୀତା ନାଏକ କହିଛନ୍ତି ଯେ, ଓଭର ବ୍ରିଜ ରାସ୍ତା ନିର୍ମାଣ ପରେ ଠିକାସଂସ୍ଥାର ଖାମଖିଆଲ ମନଭାବ ଯୋଗୁ ରାସ୍ତା ଉପରେ ମାଟି ଗଦା ହୋଇରହିଛି। ଯାତାୟାତରେ ସମସ୍ୟା ଉପୁଜୁଥିବା ବେଳେ ଡ୍ରେନ୍‌ର ଆବର୍ଜ୍ଜନା ପାଣି ରାସ୍ତା ଉପରେ ପ୍ରବାହିତ ହେଉଛି। ଏ ସମ୍ପର୍କରେ ନିର୍ମାଣକାରୀ ଠିକାସଂସ୍ଥା ଚେଭରୋକ୍ସର ମାନବ ସମ୍ବଳ ଅଧିକାରୀ ଭାଗିରଥି ପଣ୍ଡା କହିଛନ୍ତି, ସାତ ଦିନ ମଧ୍ୟରେ ପୋତି ହୋଇଯାଇଥିବା ରାସ୍ତାକୁ ଲୋକଙ୍କ ଚାଲିବା ଉପୋଯୋଗୀ କରାଯିବ।