୩୦ ତଳେ ଦୈନିକ ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ, ୩୧।୩ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ୧ ହଜାର ୨୨୫ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩୦ ତଳେ ରହିଛି। ଦୈନିକ ମୃତ୍ୟୁ ସଂଖ୍ୟା ୨୮ରେ ପହଞ୍ଚିଛି। ଅପରପକ୍ଷରେ ସକ୍ରିୟ ମାମଲା କମିବାରେ ଲାଗିଛି। ଏହି ସମୟରେ ସକ୍ରିୟ ମାମଲା ୧୫ ହଜାର ତଳେ ରହିଛି। ଏହା ୧୪ ହଜାର ୩୦୭ ରହିଛି।

ସେହିପରି ୨୪ ଘଣ୍ଟାରେ ୧ ହଜାର ୫୯୪ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୧ ହଜାର ୧୨୯ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୩୦ ଲକ୍ଷ ୨୪ ହଜାର ୪୪୦ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୨୪ ଲକ୍ଷ ୮୯ ହଜାର ୪ ଜଣ ସୁସ୍ଥ ହୋଇ ସାରିଛନ୍ତି। ଗତ ୨୪ ଘଣ୍ଟାରେ କେରଳର ସର୍ବାଧିକ ୪୩୮ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଦିଲ୍ଲୀରେ ୧୨୩ ଏବଂ ମହାରାଷ୍ଟ୍ରରେ ୧୧୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସୂଚନାଯୋଗ୍ୟ, ସମ୍ପ୍ରତି ଦେଶରେ ଟିକାକରଣ ସଂଖ୍ୟା ୧୮୪ କୋଟି ୧୦ ଲକ୍ଷରୁ ଅଧିକ ଟପିଛି। ସେଥିମଧ୍ୟରେ ୯୧ କୋଟି ୩୦ ଲକ୍ଷରୁ ଅଧିକ ପ୍ରଥମ ଡୋଜ୍‌ ଥିବାବେଳେ ୭୯ କୋଟି ୪୦ ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ୍‌ ରହିଛି।

Share