ଭୁବନେଶ୍ୱର,୧୮ା୧(ବ୍ୟୁରୋ): ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି। ବୁଧବାର ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଛି ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରିୟ ବିମାନ ତଥା ସ୍ମୃତି ‘ଡାକୋଟା’। କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଏହାକୁ ଭୁବନେଶ୍ୱର ବିମାନବନ୍ଦର ଅଣାଯାଇଛି। ପ୍ରଥମେ ଲକ୍ଷ୍ମଣନାଥ ଟୋଲ୍ଗେଟ୍ ପରେ ବାଲେଶ୍ବର, ଚଣ୍ଡିଖୋଲ ଓ କଟକ ଦେଇ ରାଜଧାନୀରେ ଆଜି ପହଞ୍ଚିଛି ‘ଡାକୋଟା’।
‘ଡାକୋଟା’ର ବିଭିନ୍ନ ଅଂଶକୁ ୩ଟି ଟ୍ରଲରରେ ଲୋଡ୍ କରାଯାଇ ଭୁବନେଶ୍ୱର ଅଣାଯାଇଛି। ଏଆର୍ଡିସିର ୧୦ ଜଣିଆ ଟିମ୍ ୧୨ ଦିନ ଧରି ବିମାନ ଖୋଲିବା କାମରେ ନିୟୋଜିତ ହୋଇଥିଲେ। ବିମାନଟିକୁ ସୁରକ୍ଷାର ସହିତ ସୀମା ପାର୍ କରାଇବା ପାଇଁ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ପୋଲିସ ମୁତୟନ କରାଯାଇଥିଲା। ଶେଷରେ ଏହା ଭୁବନେଶ୍ୱରରେ ପହଞ୍ଚିଛି।
ବିଜୁ ପଟ୍ଟନାୟକ କଳିଙ୍ଗ ଏୟାରଲାଇନ୍ସର ପ୍ରତିଷ୍ଠା କରିଥିବା ବେଳେ ସେଥିରେ ୧୮ଟି ‘ଡାକୋଟା’ ବିମାନ ଥିଲା। ବିମାନଗୁଡ଼ିକ କୋଲକାତାରୁ ବିଭିନ୍ନ ସ୍ଥାନକୁ ସେବା ଯୋଗାଉଥିଲା। ଗୋଟିଏ ବିମାନକୁ ବିଜୁ ବାବୁ ବ୍ୟବହାର କରୁଥିଲେ। ଯାହାକି ‘ଡାକୋଟା’(ଡିସି-୩) ଭିଟି-ଏୟୁଆଇ ଥିଲା। ଉକ୍ତ ବିମାନର ଲମ୍ବ ୬୪ ଫୁଟ ୮ ଇଞ୍ଚ।