Advertisement

ଦକ୍ଷ ପ୍ରଜାପତି ମନ୍ଦିର ଅବହେଳିତ

ଗମ୍ଭାରୀମୁଣ୍ଡା,୮ା୧(ଦିଲୀପ ସ୍ବାଇଁ): ସରକାର ବିଭିନ୍ନ ମନ୍ଦିର ଓ ମଠର ପୁନରୁଦ୍ଧାର କରିବା ସହ ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ହେଲେ ଖୋର୍ଦ୍ଧା ଜିଲା ବାଣପୁରରେ ଥିବା ଦକ୍ଷ ପ୍ରଜାପତି ମନ୍ଦିର ଅବହେଳିତ ଅବସ୍ଥାରେ ରହିଛି। ରକ୍ଷଣାବେକ୍ଷଣ ଅଭାବରୁ ବର୍ଷାହେଲେ ତ୍ରୟୋଦଶ ଶତାବ୍ଦୀର ଏହି ମନ୍ଦିରର ଗର୍ଭଗୃହରୁ ପାଣି ଗଳୁଛି। ଏପରିକି କେତେକ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ତୁରନ୍ତ ଏହି ମନ୍ଦିରର ମରାମତି ପାଇଁ ଦାବି ହେଉଛି।
ଅନୁଯାୟୀ, ଗଙ୍ଗବଂଶର ରାଜାମାନେ ଦାକ୍ଷିଣାତ୍ୟ ବିଜୟ କରି ଫେରିବା ପରେ ଏହି ମନ୍ଦିର ପ୍ରତିଷ୍ଠା କରାଇଥିଲେ। ମନ୍ଦିରର ଭାସ୍କର୍ଯ୍ୟ ବେଶ୍‌ ମନଛୁଅଁା। ମନ୍ଦିରରେ ନିର୍ମିତ ଅଷ୍ଟସଖୀ, ନାଗନାଗୁଣୀ, ଶାର୍ଦ୍ଦୂଳ, ଓଲଟ ଗଜ, ବରାଳ ସିଂହ, ଓଲଟ ସିଂହ, ଓଲଟ ଉଡ଼ା ସିଂହ, ଅଳସିକନ୍ୟାମାନଙ୍କର ନାଟ୍ୟରତ ଅଙ୍ଗରଙ୍ଗୀ ଆଦି ଆକୃଷ୍ଟ କରିଥାଏ। ସମଗ୍ର ପୂର୍ବ ଭାରତରେ ଏକମାତ୍ର ମନ୍ଦିର, ଯେଉଁଠାରେ ଦକ୍ଷ ପ୍ରଜାପତିଙ୍କୁ ପୂଜା କରାଯାଇଥାଏ। ଏହି ମନ୍ଦିରକୁ ମା’ ଭଗବତୀଙ୍କ ପିତ୍ରାଳୟ ବୋଲି କୁହାଯାଇଥାଏ। ଏଠାରେ ମା’ ଭଗବତୀଙ୍କ ଚଳନ୍ତି ପ୍ରତିମା କାଠି ଠାକୁରାଣୀ ପୂଜା ପାଇଥାନ୍ତି। ପ୍ରତ୍ୟହ ମଙ୍ଗଳବାର ପିତ୍ରାଳୟରୁ ମା’ଙ୍କ ଚଳନ୍ତି ପ୍ରତିମା ଦେବୀଙ୍କ ପୀଠକୁ ଆଗମନ ହୋଇଥାଏ। ତେବେ ଏହି ମନ୍ଦିର ବହୁ ପୁରାତନ ହୋଇଥିବାରୁ ରକ୍ଷଣାବେକ୍ଷଣ ଦାୟିତ୍ୱ ପ୍ରତ୍ନତତ୍ତ୍ୱ ବିଭାଗ ନେଇଥିଲା। ମୁଖ୍ୟ ମନ୍ଦିର ଅଗ୍ରଭାଗରେ ଫାଟ ସୃଷ୍ଟି ହେଲାଣି। ମନ୍ଦିର ଗର୍ଭଗୃହରୁ ଇଟା ଓ ଚୂନ ଅତଡ଼ା ଖସୁଥିବା ବେଳେ ବର୍ଷା ପାଣି ମା’ଙ୍କ ଆସ୍ଥାନରେ ଜମିରହୁଛି। ତେଣୁ ବର୍ଷାଦିନେ ମା’ଙ୍କୁ ଗର୍ଭଗୃହରୁ ବିସ୍ଥାପନ କରିବାକୁ ମନ୍ଦିର କର୍ତ୍ତୃପକ୍ଷ ବାଧ୍ୟ ହେଉଛନ୍ତି। ମନ୍ଦିର ପରିସରରେ ଥିବା ଛୋଟ ବଡ଼ ମନ୍ଦିରଗୁଡିକର ବି ସମାନ ଅବସ୍ଥା। ତୁରନ୍ତ ଏଥିପ୍ରତି ସ୍ଥାନୀୟ ପ୍ରଶାସନ ଓ ପ୍ରତ୍ନତତ୍ତ୍ୱ ବିଭାଗ ଅଧିକାରୀ ଦୃଷ୍ଟିଦେବାକୁ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଦାବି ହେଉଛି। ଏ ସମ୍ପର୍କରେ ଦକ୍ଷେଶ୍ୱର ଭଗବତୀ ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ କହିଛନ୍ତି, ବର୍ଷାପାଣିରେ ମନ୍ଦିର ଭର୍ତ୍ତିି ହୋଇଯାଉଛି। ମା’ଙ୍କ ଶୟନରେ ବାଧା ସୃଷ୍ଟି ହେଉଛି। ଏନେଇ ପ୍ରତ୍ନତତ୍ତ୍ୱ ବିଭାଗ ନିକଟରେ ଅଭିଯୋଗ ହୋଇଥିଲେ ମଧ୍ୟ ସମସ୍ୟାର ସମାଧାନ କରାଯାଉନାହିଁ। ଏହି ମନ୍ଦିର ତ୍ରୟୋଦଶ ଶତାବ୍ଦୀର। ଥରେ ଭାଙ୍ଗିଲେ ଆଉ ତୋଳିହେବ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share