ପାରଳାଖେମୁଣ୍ଡି,୩ା୧୦(ଡି.ଏନ୍.ଏ.): ଗଜପତି ଜିଲା ଅଡ଼ବା ଥାନା କଲବା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଦାଦନ ଖଟିବାକୁ ଯାଇଥିବା ଶ୍ରମିକଙ୍କ ଗୋଡ଼ ଓ ହାତ କାଟିଦେଇଥିବା ଜଣାପଡ଼ିଛି। ଏଥିସହ ଥାନାରେ ଅଭିଯୋଗ କଲେ ଜୀବନରୁ ମାରି ଦେବାକୁ ଧମକ ଦେଇଛନ୍ତି ଦଲାଲ। ସୂଚନାଯୋଗ୍ୟ, ଗତ ୧୩ ତାରିଖରେ କଲବା ଗାଁର ଶାଙ୍କ ମୁର୍ମୁକୁ ନିକଟସ୍ଥ ଗାଁର ୪ଜଣ ଯୁବକ ଆସି ମାସିକ ୨୦ ହଜାର ଟଙ୍କା ମିଳିବ ବୋଲି ପ୍ରଲୋଭନ ଦେଖାଇ ଉତ୍ତରପ୍ରଦେଶର ଏକ ସିମେଣ୍ଟ କମ୍ପାନୀକୁ ନେଇଯାଇଥିଲେ। ସେଠାରେ କିଛି ଦିନ କାମ କରିବା ପରେ ଶାଙ୍କ ଟଙ୍କା ମାଗିଥିଲେ। ତେବେ ଟଙ୍କା ଦେବା ବଦଳରେ ଦଲାଲମାନେ ତାଙ୍କୁ ମାଡ଼ ମାରିବା ସହ ବାମ ଗୋଡ଼ ଓ ଡାହାଣ ହାତର ପାପୁଲି କାଟି ଦେଇଥିବା ଅଭିଯୋଗ ହୋଇଛି। ହାତ ଗୋଡ଼ କାଟିବା ପରେ ଉତ୍ତରପ୍ରଦେଶର ଝାନ୍ସି ସହରର ଏକ ଘରୋଇ ମେଡ଼ିକାଲରେ ଗୋଟିଏ ଦିନ ଚିକିତ୍ସା କରାଇ ଗାଁରେ ଆଣି ଛାଡି ଦେଇଛନ୍ତି। ଅନ୍ୟପଟେ ଏନେଇ ଅଭିଯୋଗ ହୋଇ ନ ଥିବା ଗଜପତି ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀ। ବର୍ତ୍ତମାନ ସେ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।