ପ୍ରସିଦ୍ଧ ପଞ୍ଜାବୀ ଗାୟକ ଦଲେର ମେହନ୍ଦି ଗିରଫ ହୋଇଛନ୍ତି। ମାନବ ଚାଲାଣ ଅଭିଯୋଗରେ ତାଙ୍କ ପଟିଆଲା କୋର୍ଟ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ୧୮ ବର୍ଷ ପୁରୁଣା ଏହି ମାମଲାରେ ପୂର୍ବରୁ ଦଲେରଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲେ। ତେବେ ଏହାକୁ ଚ୍ୟାଲେଞ୍ଜ କରିଥିଲେ ଗାୟକ। ଏହି ମାମଲାର ଶୁଣାଣି ବେଳେ ପଞ୍ଜାବର ପଟିଆଲା କୋର୍ଟ ଦଲେର ମେହେନ୍ଦିଙ୍କ ୨ ବର୍ଷ ଜେଲଦଣ୍ଡାଦେଶକୁ କାଏମ ରଖିଛନ୍ତି।
୨୦୦୩ରେ ଦଲେର୍ ମେହନ୍ଦି ଏବଂ ତାଙ୍କ ଭାଇ ଶ୍ୟାମସର ସିଂଙ୍କ ନାଁରେ ମାନବ ଚାଲାଣ ଅଭିଯୋଗ ଆସିଥିଲା। ଯୁକ୍ତରାଷ୍ଟ୍ର ଆମେରିକାରେ ଉଭୟଙ୍କ ବିରୋଧରେ ୩୧ଟି ମାମଲା ରୁଜୁ ହୋଇଥିଲା। ସେମାନେ ବେଆଇନ ଭାବେ ଲୋକଙ୍କୁ ବିଦେଶ ପଠାଇ ବିପୁଳ ପରିମାଣର ଟଙ୍କା ନେଉଥିଲେ। ୧୯୯୮ ଓ ୧୯୯୯ ବେଳେ ଦଲେର ମେହେନ୍ଦି ଅତି କମ୍ରେ ୧୦ ଜଣଙ୍କୁ ଅବୈଧ ରୂପେ ସାନ ଫ୍ରାନ୍ସିସ୍କୋ ଓ ନ୍ୟୁ ଜର୍ସିକୁ ଚାଲାଣ କରିଥିଲେ। ଏହାପରେ ଦଲେର ମେହନ୍ଦି ଓ ତାଙ୍କ ଦିବଙ୍ଗତ ଭାଇ ଶମସେର ସିଂହଙ୍କ ବିରୋଧରେ ଏଫଆଇଆର୍ ହୋଇଥିଲା। ଦୁଇ ଭାଇ ଲୋକଙ୍କୁ ବିଦେଶ ପଠାଇବା ପାଇଁ ୧ କୋଟି ଟଙ୍କା ଚାର୍ଜ କରୁଥିଲେ।