ଡାଲି, ତୈଳବୀଜ ସଂଗ୍ରହ ୨୦% ବୃଦ୍ଧି

ଭୁବନେଶ୍ୱର,୧୧।୮(ବ୍ୟୁରୋ): ଚଳିତ ବର୍ଷ ଡାଲି ଜାତୀୟ ଓ ତୈଳବୀଜ ସଂଗ୍ରହ ବୃଦ୍ଧି ପାଇଛି। ୨୦୧୮-୧୯ରେ ରାଜ୍ୟରେ ସମୁଦାୟ ୭୫୯୩.୨୮୦ ମେଟ୍ରିକ୍‌ ଟନ୍‌ ଡାଲି ଓ ତୈଳବୀଜ ଜାତୀୟ ଫସଲ ସଂଗ୍ରହ କରାଯାଇଛି। ୨୦୧୯-୨୦ ରବି ଋତୁରେ ୯୧୨୭.୭୯୬ ମେଟ୍ରିକ୍‌ ଟନ ସଂଗ୍ରହ କରାଯାଇଛି। ଗତ ବର୍ଷ ତୁଳନାରେ ୨୦ ପ୍ରତିଶତ ଅଧିକ ସଂଗ୍ରହ ହୋଇଛି। ସୋମବାର ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ତୈଳବୀଜ ଫସଲ ଏବଂ ଡାଲି ଜାତୀୟ ଫସଲ ସଂଗ୍ରହ ନେଇ ସମୀକ୍ଷା କରିଛନ୍ତି। ମାର୍କଫେଡ୍‌ ଦ୍ୱାରା ଗତ ବର୍ଷ ରାଜ୍ୟର ୮ ଜିଲାରୁ ତୈଳ ଓ ଡାଲି ଜାତୀୟ ଫସଲ ସଂଗ୍ରହ କରାଯାଇଥିଲା। ଚଳିତ ବର୍ଷ ୧୩ ଜିଲାରୁ ବିଭିନ୍ନ ପ୍ରାଥମିକ ସମବାୟ ସମିତି ଦ୍ୱାରା ମୁଗ, ଚିନାବାଦାମ ଓ ସୂର୍ଯ୍ୟମୁଖୀ ମଞ୍ଜି ସଂଗ୍ରହ କରାଯାଇଛି। ଯାଜପୁରରୁ ୨୫କୋଟି ୨୪ଲକ୍ଷ ୪୯ହଜାର ୯୨୫ ଟଙ୍କା ମୂଲ୍ୟର ଡାଲି ଓ ତୈଳବୀଜ ସଂଗ୍ରହ କରାଯାଇଛି। ମାଲକାନଗିରିରୁ ୯ କୋଟି ୮୬ ଲକ୍ଷ ୭୩ ହଜାର ୪୪୦ ଟଙ୍କା, ଜଗତ୍‌ସିଂହପୁର ଜିଲାରୁ ୮କୋଟି ୯୮ଲକ୍ଷ ୪୭ହଜାର, ୩୧୫ ଟଙ୍କା ଏବଂ ପୁରୀରୁ ୬ କୋଟି ୬୬ ଲକ୍ଷ ୩୭ ହଜାର ୧୫୮ ଟଙ୍କାର ଡାଲି ଜାତୀୟ ଓ ତୈଳବୀଜ ସଂଗ୍ରହ କରାଯାଇଛି। ଗତ ବର୍ଷ ୫୦ କୋଟି ୮୩ ଲକ୍ଷ ୮୪ ହଜାର ୯୦୦ଟଙ୍କାର ଡାଲି ଓ ତୈଳବୀଜ ଚାଷୀଙ୍କଠାରୁ ସର୍ବନିମ୍ନ ସହାୟକ ମୂଲ୍ୟରେ କିଣାଯାଇଥିବାବେଳେ ଚଳିତ ବର୍ଷ ୬୦କୋଟି ୨୩ଲକ୍ଷ ୯୨ହଜାର ୩୪୬ଟଙ୍କାର କିଣାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ସେଥିମଧ୍ୟରେ ୬୯୯୫.୩୮୨ ମେଟ୍ରିକ ଟନ୍‌ ମୁଗ, ୨୦୧୧.୩୩୫ ମେଟ୍ରିକ୍‌ ଟନ୍‌ ଚିନାବାଦାମ ଏବଂ ୧୨୧.୦୭୯ ମେଟ୍ରିକ ଟନ୍‌ ସୂର୍ଯ୍ୟମୁଖୀ ମଞ୍ଜି ସଂଗ୍ରହ କରାଯାଇଥିବା ବୈଠକରେ ଜଣାପଡ଼ିଛି।

Share