Advertisement

ଦଳିତ ପରିବାର ଗାଁରୁ ବିତାଡିତ ଘଟଣା: ଅନିର୍ଦ୍ଦିଷ୍ଟ କାଳ ପାଇଁ ଗଣଧାରଣା

ଛତ୍ରପୁର, ୨୫।୩(ସନ୍ତୋଷ ପାଢ଼ୀ): ଗତ ୨୦୦୦ ମସିହାରେ ଜାତିଗତ ଘୃଣା କାରଣରୁ ଆସିକା ବ୍ଳକ ବାଲିଛାଇ ଗ୍ରାମର ୫୦ରୁ ଉଦ୍ଧର୍‌ବ ଦଳିତ ପରିବାର ଗାଁରୁ ବିତାଡିତ ହୋଇଛନ୍ତି। ଏମାନଙ୍କୁ ଗାଁରେ ପୁନଃଥଇଥାନ ସହ ୮ ଦଫା ଦାବି ନେଇ ଛତ୍ରପୁରସ୍ଥିତ ଜ଼ିଲାପାଳଙ୍କ ଅଫିସ ଆଗରେ ମଙ୍ଗଳବାର ଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗଣଧାରଣା ଆରମ୍ଭ ହୋଇଛି। ସେମାନେ ଦୀର୍ଘ ୨୫ ବର୍ଷ ଧରି ପ୍ରଶାସନ ଓ ପୋଲିସ ପାଖରେ ବାରମ୍ବାର ଫେରାଦ ହେଲେ ବି ସେମାନଙ୍କୁ ଗାଁକୁ ଫେରାଇ ନେବାରେ ବିଫଳ ହୋଇଛନ୍ତି।

ଏହି ପରିପ୍ରେକ୍ଷୀରେ ସେହି ପୀଡିତ ଦଳିତ ପରିବାରମାନଙ୍କୁ ନ୍ୟାୟ ତଥା ଗାଁକୁ ଫେରାଇବାକୁ ଦାବିରେ ଗଞ୍ଜାମ ଜିଲା ଦଳିତ ମହାସଭା ଉଦ୍ୟମରେ ସମ୍ପୃକ୍ତ ପୀଡ଼ିତ ପରିବାରମାନେ ଅର୍ନିଦ୍ଦିଷ୍ଟ କାଳପାଇଁ ଗଣ ଧାରଣା ଆରମ୍ଭ କରିଛନ୍ତି। ଗତ ୨୦୦୦ରେ ଛୁଆଁଅଛୁଆଁ ଜାତିଗତ ଭେଦଭାବକୁ ନେଇ କିଛି ସବର୍ଣ୍ଣ ବ୍ୟକ୍ତିମାନଙ୍କ ଦ୍ବାରା ସାମାଜିକ ବାସନ୍ଦ କରାଯାଇଥିଲା। ତଥା ଗାଁ ଦାଣ୍ଡରେ ସର୍ବସାଧାରଣ ରାସ୍ତାରେ ଯିବା ଆସିବା ମନା, ମନ୍ଦିର ଓ ହୋଟେଲ ପ୍ରବେଶ କରିବା ମନା, ସ୍କୁଲରେ ପିଲାମାନଙ୍କୁ ପାଠପଢିବା ମନା, ପୋଖରୀରେ ଗାଧୋଇବା, ନଳକୂପରୁ ପାଣି ଆଣିବା ମନା, ଦୋକାନରୁ ସଉଦା ଆଣିବା ମନା କରାଯାଇଥିଲା ତାପରେ ବାଲିଛାଇ ଗ୍ରାମର କିଛି ଅସାମାଜିକ ସବର୍ଣ୍ଣ ବ୍ୟକ୍ତି ଏକତ୍ରିତ ହୋଇ ସଂଘବଦ୍ଧ ଭାବେ ବିଭିନ୍ନ ମାରଣାସ୍ତ୍ର ଯଥା- ଠେଙ୍ଗା, ବାଡି, ଖଣ୍ଡାକାତି, ଜୁରାଢି, ବନ୍ଧୁକ, ପିସ୍ତଲ ଓ ବୋମା ହାତରେ ସେମାନଙ୍କୁ ଜୀବନରେ ମାରି ଶେଷ କରିଦେବାକୁ ଧମକ ଦେଇଥିଲେ। ଆମ୍ଭ ସାହିରେ ପଶି ୫୦ଟି ଅନସୂଚିତ ଜାତି ପରିବାରର ସମସ୍ତଙ୍କୁ ରକ୍ତାକ୍ତ କରି ମାରଣାତ୍ମକ ଆକ୍ରମଣ, ମହିଳା ଓ ଯୁବତୀମାନଙ୍କୁ ଟଣାଓଟରା ଓ ବଳକାର ଉଦ୍ୟମ, ଘରର ସମସ୍ତ ମୂଲ୍ୟବାନ ଜିନିଷ ସହିତ ଧାନ, ଚାଉଳ, ମୁଗ, ବିରି, କୋଳଥ, ମାଣ୍ଡିଆ, ଆସବାବ ପତ୍ର ଓ ବିହନ ସବୁ ଲୁଟି ନେଥିଲୋ। ବୋମା ପକାଇ ପକ୍ଟାଘର ସହିତ ସମସ୍ତ ବାସଗୃହ ସମ୍ପୁର୍ଣ ଭାଙ୍ଗିଦେଲେ ଏବଂ ଶେଷରେ ସମସ୍ତ ପରିବାରର ସଦସ୍ୟଙ୍କୁ ଗ୍ରାମରୁ ଜୋରଜବରଦସ୍ତ ବାହାର କରିଦେଲେ ବୋଲି ଅଭିଯୋଗ ହୋଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel