କୁଜଙ୍ଗ/ରାହାମା,୨୧ା୨(ଡି.ଏନ୍.ଏ.):ପୂର୍ବତନ ମନ୍ତ୍ରୀ ଡା. ଦାମୋଦର ରାଉତଙ୍କ କାର୍କୁ ଭଙ୍ଗାରୁଜା କରିବା ଘଟଣାରେ ଜଗତ୍ସିଂହପୁର ଜିଲାର ତିର୍ତ୍ତୋଲ ପୋଲିସ ଜଣେ ସରପଞ୍ଚ ପ୍ରାର୍ଥୀଙ୍କ ସମେତ ୮ ଜଣଙ୍କୁ ସୋମବାର ଗିରଫ ପରେ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନଙ୍କ ଜାମିନ ନା ମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସେମାନେ ହେଲେ କୁଜଙ୍ଗ ବ୍ଲକ ଅନ୍ତର୍ଗତ ସାଇଲୋ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ସରୋଜ କୁମାର ସେଠୀ, ଅମିୟ ପାତ୍ର, ସୁଶାନ୍ତ ନାୟକ, ଦେବାଶିଷ ପାତ୍ର, ଅନିରୁଦ୍ଧ ଖୁଣ୍ଟିଆ, ରମାକାନ୍ତ ବରାଳ, ବିବେକ ଦାସ ଓ ସୁଧାଂଶୁ ଶେଖର ସାମଲ। ପୋଲିସ ସୂଚନା ଅନୁଯାୟୀ, ରବିବାର ଅପରାହ୍ନରେ ଦାମ ତାଙ୍କ କାର୍ (ଓଆର-୦୨-ବିଡି୦୧୫୧ )ରେ ନିଜ ଗାଁ ଏରସମା ବ୍ଲକ ଅନ୍ତର୍ଗତ ମଲ୍ଲିପୁରାକୁ ଯାଉଥିଲେ। କୁଜଙ୍ଗ ବ୍ଲକ ସାଇଲୋ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖଦେଇ କାର୍ ଗଲାବେଳେ ସରପଞ୍ଚ ପ୍ରାର୍ଥୀ ସରୋଜ ଓ ତାଙ୍କ ସମର୍ଥକମାନେ ଏକ ଶୋଭାଯାତ୍ରା କରୁଥିଲେ ା ଏହା ଦେଖି ଦାମଙ୍କ ଗାଡ଼ି ଚାଳକ କାର୍ ସାଇଡ କରିଥିଲେ। ମାତ୍ର ସରୋଜଙ୍କ କେତେଜଣ ସମର୍ଥକ ତାଙ୍କ ଗାଡ଼ିକୁ ଭଙ୍ଗାରୁଜା କରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଏଥିରେ ଦାମଙ୍କ କାର୍ କାଚ, ବର୍ନେଟ ଭାଙ୍ଗି ଯାଇଥିଲା। ସ୍ଥାନୀୟ ଲୋକେ ବିରୋଧ କରିବାରୁ ଅଭିଯୁକ୍ତମାନେ ସେଠାରୁ ପଳାଇଯାଇଥିଲେ। ଏନେଇ ଦାମ କୁଜଙ୍ଗ ବିଡିଓ ତଥା ନିର୍ବାଚନ ଅଧିକାରୀ ସୌମ୍ୟଶ୍ରୀ ପାଣିଗ୍ରାହୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ଏ ବିଷୟରେ ତିର୍ତ୍ତୋଲ ଥାନାକୁ ଜଣାଇବାକୁ ଅନୁରୋଧ କରିଥିଲେ। ଏ ନେଇ କୁଜଙ୍ଗ ନିର୍ବାଚନ ଅଧିକାରୀ ଥାନାକୁ ଜଣାଇବାରେ ପୋଲିସ ପକ୍ଷରୁ ମାମଲା (ନଂ.୧୨୬/୨୨) ରୁଜୁ କରାଯାଇ ଉପରୋକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି ବୋଲି ସବ୍ଇନ୍ସପେକ୍ଟର ମାନସିଂ ହେମ୍ବ୍ରମ୍ କହିଛନ୍ତି।
Posted inଆମ ଜିଲା ଖବର, ଜଗତ୍ସିଂହପୁର, ରାଜ୍ୟ