Categories: ଜାତୀୟ

ଦିଲ୍ଲୀରେ ଡ୍ୟାମେଜ୍‌ କଣ୍ଟ୍ରୋଲ୍‌

ନୂଆଦିଲ୍ଲୀ,୧୧ା୬:ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କୁ ଭେଟିଛନ୍ତି। ସେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ କରିବା କାର୍ଯ୍ୟକ୍ରମ ରହିଛି। ରାଜ୍ୟରେ ବିଧାନସଭା ନିର୍ବାଚନକୁ କିଛି ମାସ ବାକି ଥିବାବେଳେ ଭାଜପା ଓ କେନ୍ଦ୍ର ସରକାରଙ୍କ ଶୀର୍ଷ ନେତୃତ୍ୱଙ୍କ ସହ ଯୋଗୀଙ୍କ ଭେଟକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।
ଯୋଗୀଙ୍କ କୋଭିଡ୍‌ ମୁକାବିଲାରେ ଦୁର୍ବଳତା ଯୋଗୁ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଭାଜପାକୁ କ୍ଷତି ସହିବାକୁ ପଡ଼ିପାରେ ବୋଲି କିଛିଦିନ ହେଲା ଚର୍ଚ୍ଚା ଜୋର୍‌ ଧରିଛି। ଏଭଳି ସମୟରେ ପ୍ରଥମ ଥର ପାଇଁ ଯୋଗୀ ଦୁଇଦିନିଆ ଦିଲ୍ଲୀ ଗସ୍ତ କରିଛନ୍ତି। ସେ ଶୁକ୍ରବାର ମୋଦି, ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଓ ଅନ୍ୟ ନେତାମାନଙ୍କୁ ସାକ୍ଷାତ କରିବେ। ୟୁପିର ପ୍ରମୁଖ ବ୍ରାହ୍ମଣ ଚେହେରା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜିତିନ ପ୍ରସାଦ କଂଗ୍ରେସ ଛାଡ଼ି ଭାଜପାରେ ମିଶିବାର ଦିନକ ପରେ ଯୋଗୀଙ୍କ ଦିଲ୍ଲୀ ଗସ୍ତ ପାଣିପାଗରେ ଉଷ୍ମତା ଭରିଦେଇଛି। ଆଗକୁ ୟୁପିରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରାଯିବ ବୋଲି ହେଉଥିବା ଚର୍ଚ୍ଚା ଭିତରେ ଜିତିନଙ୍କୁ ଏଥିରେ ସାମିଲ କରାଯିବା ସମ୍ଭାବନା ଦେଖାଦେଇଛି। କ୍ୟାବିନେଟରେ ଜାତିଗତ ଓ ଆଞ୍ଚଳିକ ସମୀକରଣକୁ ମଧ୍ୟ ଦୃଷ୍ଟି ଦିଆଯିବ। ପ୍ରଧାନମନ୍ତ୍ରୀଙ୍କ ଘନିଷ୍ଠ ଏ.କେ. ଶର୍ମାଙ୍କୁ କ୍ୟାବିନେଟରେ ସାମିଲ କରିବା ନେଇ କେନ୍ଦ୍ରୀୟ ନେତାଙ୍କ ସହ ଯୋଗୀଙ୍କ ସାକ୍ଷାତ ବେଳେ ଆଲୋଚନା ହୋଇପାରେ।

Share