ଆଜି ହିନ୍ଦୀରେ ରିଲିଜ୍‌ ହେବ ‘ଦମନ’:୩ଶହ ହଲ୍‌ରେ ଦେଖିବେ ଦର୍ଶକ

ଭୁବନେଶ୍ୱର, ୩।୨ (ବ୍ୟୁରୋ)- ଓଡ଼ିଆ ଚଳଚ୍ଚିତ୍ର ‘ଦମନ’କୁ ହିନ୍ଦୀ ଭାଷାରେ ଦେଖିବେ ଦର୍ଶକ। ଶୁକ୍ରବାର ଦେଶର ୩ଶହ ହଲରେ ଏହି ଚଳଚ୍ଚିତ୍ର ରିଲିଜ୍‌ ହେବ। ନଭେମ୍ବର ୪ରେ ରିଲିଜ୍‌ ହୋଇଥିବା ‘ଦମନ’ରେ ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ଡା. ସିଦ୍ଧାର୍ଥ ମହାନ୍ତି ଓଡ଼ିଶାର ଉପାନ୍ତ ଅଞ୍ଚଳରେ ଯେଉଁ ଜାଗରଣ ସୃଷ୍ଟି କରିଥିଲେ ତାହାକୁ ସୁନ୍ଦର ଭାବେ ଚିତ୍ରଣ କରାଯାଇଛି। ‘ଦମନ’କୁ ହିନ୍ଦୀ ଭାଷାରେ ନିର୍ମାଣ କରିଥିବା ପାନୋରମା ଷ୍ଟୁଡିଓର ଅଧ୍ୟକ୍ଷ କୁମାର ମଙ୍ଗତ ପାଠକ ଏ ନେଇ କହିଛନ୍ତି, ୨୦୧୫ରେ ହୋଇଥିବା ପୂର୍ବ ଏସିଆ ଶିଖର ସମ୍ମିଳନୀରେ ଭାରତ ୨୦୨୩ ସୁଦ୍ଧା ମ୍ୟାଲେରିଆମୁକ୍ତ ହେବା ପାଇଁ ସଂକଳ୍ପ ନେଇଥିଲା। ଏହାକୁ ଦୃଷ୍ଟିରେ ରଖି ସମ୍ପୂର୍ଣ୍ଣ ସମର୍ଥନ କରିବା ଏବଂ ଦମନ ଭଳି ବାସ୍ତବ ଘଟଣାକୁ ଲୋକଲୋଚନକୁ ଆଣିବା ନିହାତି ଆବଶ୍ୟକ ବୋଲି କହିଛନ୍ତି। ୨୦୨୨ରେ ନିର୍ମାଣ ହୋଇଥିବା ସମସ୍ତ ଚଳଚ୍ଚିତ୍ର ମଧ୍ୟରୁ ‘ଦମନ’ ସବୁଠାରୁ ଚର୍ଚ୍ଚିତ। ଅଭିନେତା ବାବୁସାନ୍‌ଙ୍କ ନିଖୁଣ ଅଭିନୟକୁ ଲୋକମାନେ ବେଶ୍‌ ପ୍ରଶଂସା କରିଛନ୍ତି। ତେଣୁ ଓଡ଼ିଆ ପରି ହିନ୍ଦୀ ଭାଷାରେ ମଧ୍ୟ ଚଳଚ୍ଚିତ୍ରକୁ ସେହିଭଳି ଭଲପାଇବା ଏବଂ ଲୋକପ୍ରିୟତା ମିଳିବ ବୋଲି ଆଶା କରାଯାଉଛି।

Share