ଫେବୃୟାରୀ ୩ରେ ହିନ୍ଦୀରେ ରିଲିଜ ହେବ ଦମନ

ଭୁବନେଶ୍ୱର,୧୪।୧(ବ୍ୟୁରୋ): ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ର ହିନ୍ଦୀ ଟ୍ରେଲର ଶୁକ୍ରବାର ରିଲିଜ ହୋଇଛି। ମାତ୍ର କିଛି ଘଣ୍ଟା ମଧ୍ୟରେ ଏହାକୁ ୭.୭ ଲକ୍ଷ ଲୋକ ଦେଖିଛନ୍ତି। ଫେବୃୟାରୀ ୩ରେ ହିନ୍ଦୀରେ ଏହି ଫିଲ୍ମର ଶୁଭମୁକ୍ତି ହେବା ନେଇ ପାନୋରମା ଷ୍ଟୁଡିଓ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ସୋସିଆଲ ମିଡିଆରେ ଦମନକୁ ନେଇ ଅନେକ ପୋଷ୍ଟ ଦେଖିବାକୁ ମିଳିଛି। ବଲିଉଡ ଅଭିନେତା ଅଜୟ ଦେବଗନ୍‌ ଓ ବିଦ୍ୟୁତ୍‌ ଜମୱାଲ୍‌ ଟୁଇଟ୍‌ରେ ଏହି ଭିଡିଓକୁ ଶେୟାର କରି ଶୁଭେଚ୍ଛା ଜଣାଇଛନ୍ତି। ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଭିନେତା ବାବୁଶାନ୍‌ ମହାନ୍ତି ଓ ଦ୍ୱୀପନ୍ବିତ ଦାଶମହାପାତ୍ରଙ୍କୁ ସାରା ଦେଶ ଦେଖିବ। ଡବିଂରେ ବାବୁଶାନଙ୍କ ସ୍ବରକୁ ଭଏସ୍‌ ଆର୍ଟିଷ୍ଟ ସଙ୍କେତ ଓ ଦ୍ୱୀପନ୍ବିତଙ୍କ ସ୍ବରକୁ ଚନ୍ଦନ ରୟ ଦେଇଛନ୍ତି। ଚଳଚ୍ଚିତ୍ରର ଗୀତକୁ ପ୍ରସିଦ୍ଧ ଗାୟକ ଜାଭେଦ ଅଲ୍ଲି, ଅଭୟ ଯୋଧପୁରକର ଓ ଦିବ୍ୟ କୁମାର ଗାଇଛନ୍ତି। ନିର୍ଦ୍ଦେଶନା ଭିଶାଲ ମୌର୍ଯ୍ୟ ଏବଂ ଦେବୀ ପ୍ରସାଦ ଲେଙ୍କା ଦେଇଥିବାବେଳେ ପ୍ରଯୋଜନାରେ ଅଛନ୍ତି କୁମାର ମଙ୍ଗତ ପାଠକ, ଅଭିଷେକ ପାଠକ ଓ ଦୀପେନ୍ଦ୍ର ସାମଲ।

Share