ଲକ୍ଷ୍ନୌ, ୨।୭: ବଜ୍ରପାତ ଯୋଗୁ ପ୍ରତିବର୍ଷ ବହୁ ଧନଜୀବନ ହାନି ହୋଇଥାଏ। ତେବେ ଏଣିକି ବଜ୍ରପାତ ପୂର୍ବରୁ ସତର୍କ ସୂଚନା ସହଜରେ ମିଳିପାରୁଛି। ଏଥିପାଇଁ କେନ୍ଦ୍ର ସରକାରଙ୍କ ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟ ପକ୍ଷରୁ ‘ଦାମିନୀ ଆପ୍’ ବିକଶିତ କରାଯାଇଛି। ଏହାକୁ ଡାଉନ୍ଲୋଡ୍ କରିବାକୁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି। ଏହି ଆପ୍ ବଜ୍ରପାତ ହେବାର ୩୦ରୁ ୪୦ ମିନିଟ୍ ପୂର୍ବରୁ ସତର୍କ ସୂଚନା ଦେବାକୁ ସକ୍ଷମ ବୋଲି କୁହାଯାଉଛି। ଗତ ଏକବର୍ଷ ତଳେ ପୁଣେ ସ୍ଥିତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟ୍ରପିକାଲ ମେଟ୍ରୋଲୋଜି(ଆଇଆଇଟିଏମ୍) ଦାମିନୀ ଆପ୍କୁ ବିକଶିତ କରାଯାଇଥିଲା। ୟୁଜର ଏହାକୁ ଗୁଗଲ ପ୍ଲେ ଷ୍ଟୋରରୁ ଡାଉନଲୋଡ୍ କରିପାରିବେ। ଇତିମଧ୍ୟରେ ଏହି ଆପ୍କୁ ଏକ ଲକ୍ଷରୁ ଅଧିକ ୟୁଜର ଡାଉନଲୋଡ୍ କରିସାରିଛନ୍ତି। ୟୁଜରଙ୍କଠାରୁ ୨୦ କିଲୋମିଟର ମଧ୍ୟରେ ବଜ୍ରପାତ ହେବାକୁ ଥିବା ଅଞ୍ଚଳଗୁଡ଼ିକ ସମ୍ପର୍କରେ ଏହି ଆପ୍ ସୂଚନା ଦେବାକୁ ସକ୍ଷମ। ଏବେ ଏହି ଆପ୍କୁ ଡାଉନଲୋଡ୍ କରିବା ଲାଗି ଉତ୍ତରପ୍ରଦେଶ କୃଷକଙ୍କୁ ପରାମର୍ଶ ଦିଆଯାଉଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ଜେ.ପି. ଗୁପ୍ତା ସୂଚନା ଦେଇଛନ୍ତି। ବଜ୍ରପାତରୁ ସୁରକ୍ଷିତ ରହିବା ଲାଗି ଆବଶ୍ୟକ ତଥ୍ୟ ଏହି ଆପ୍ ଯୋଗାଇ ଦେଉଥିବାରୁ ରାଜ୍ୟର କୃଷକ ବେଶ୍ ଉପକୃତ ହୋଇପାରିବେ ବୋଲି ସେ କହିଛନ୍ତି।