
ଦିଗପହଣ୍ଡି,୨୫।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରରେ ମଙ୍ଗଳବାର ଠାରୁ ମା ’ ଦଣ୍ଡକାଳୀଙ୍କ ୨୧ ଦିନବ୍ୟାପୀ ଦଣ୍ଡଯାତ୍ରାର ଶୁଭାରମ୍ଭ ହୋଇଛି। ମାନସିକ ଧାରୀ ଦଣ୍ଡୁଆ ମାନେ ସ୍ଥାନୀୟ ଭୋଇ ସାହି ସ୍ଥିତ ମା ’ ଦଣ୍ଡକାଳୀଙ୍କ ମନ୍ଦିରକୁ ଯାଇ ସେମାନଙ୍କ ମନସ୍କାମନା ପୂରଣ ସକାଶେ ପୂଜାର୍ଚ୍ଚନା କରିଛନ୍ତି। ଏହାପରେ ଦଣ୍ଡୁଆ ମାନେ କମାପଡ଼ିଆସ୍ଥିତ ଶ୍ରୀ ନୀଳକଣ୍ଠେଶର ଶୈବପୀଠକୁ ଯାଇ ପ୍ରଭୁଙ୍କ ନିକଟରେ ଅଧିଆ ପଡ଼ି ଦୀର୍ଘ ସମୟ ଧରି ଆରାଧନା କରିଥିଲେ । ଶୈବପୀଠରେ ରୀତିନୀତି ଅନୁସାରେ ସଙ୍କଳ୍ପ ପୂଜାର୍ଚ୍ଚନା କରାଯିବା ପରେ ପଇତା ଧାରଣ କରିଥିଲେ। ସେଠାରୁ ଢୋଲ,ମହୁରୀ, ଘଣ୍ଟ,ଗିନି ବାଦ୍ୟର ତାଳେ ତାଳେ ମା’ ଦାଣ୍ଡକାଳୀଙ୍କ ପ୍ରଭା ଓ ମହାଦେବଙ୍କ ପ୍ରତିମା ଧରି ସହର ପରିକ୍ରମା କରି ବସଷ୍ଟାଣ୍ଡ ସ୍ଥିତ ଶ୍ରୀ ତ୍ରିନାଥ ମନ୍ଦିର ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ ପ୍ରତିବର୍ଷ ଭଳି ବ୍ୟବସାୟୀ ସଂଘ ସହାୟତାରେ ପ୍ରଚଳିତ ଧୁଳି ଦଣ୍ଡ ପରିବେଷଣ କରିଥିଲେ । ପରେ ପାଣିଦଣ୍ଡ ଏବଂ ବିଳମ୍ବିତ ରାତିରେ ଅଗ୍ନି ଦଣ୍ଡ ପରିବେଷଣ କରିଥିଲେ। ବିଳମ୍ବିତ ରାତିରେ ଶ୍ରୀ ଗୈାରୀ ଶଙ୍କର ଦଣ୍ଡନାଟ୍ୟ ଅନୁଷ୍ଠାନ ର ମ୍ୟାନେଜର ପ୍ରଫୁଲ୍ଲ କୁମାର ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତାବଧାନରେ ନାଟ୍ୟକାର କୁରେଶୁ ସାହୁଙ୍କ ବଳିଷ୍ଠ ନିର୍ଦ୍ଦେଶନାରେ କଳାକାର ମାନଙ୍କ ଦ୍ବାରା ଶ୍ରେଷ୍ଠ ସାମାଜିକ ନାଟକ ’ହା କୃଷ୍ଣ ବୋଲି ଯାଉ ଜୀବ’ ସଫଳତାର ସହ ମଞ୍ଚସ୍ଥ ହୋଇଥିଲା । ସହର ସମେତ ଆଖାପାଖ ଗ୍ରାମାଞ୍ଚଳର ସହସ୍ରାଧିକ ଦର୍ଶକ ନାଟକ ଉପଭୋଗ କରିଥିଲେ।