ଟଳିଲା ବିପଦ: ସ୍କୁଲ ବସ୍‌ ଆକାରର ଜଳନ୍ତା ଗ୍ରହାଣୁ ପିଣ୍ଡ ପୃଥିବୀକୁ କଲା ଅତିକ୍ରମ

ଓ୍ବାଶିଂଟନ, ୨୪।୯: ସ୍କୁଲ ବସ୍‌ ଆକାର ଏକ ଜଳନ୍ତା ଗ୍ରହାଣୁ ପିଣ୍ଡ ପୃଥିବୀକୁ ଗୁରୁବାର ମଧ୍ୟାହ୍ନରେ ଅତିକ୍ରମ କରିଛି। ନାସା ପକ୍ଷରୁ କୁହାଯାଇଛି ଯେ, ଗ୍ରହାଣୁ ପିଣ୍ଡଟି ପୃଥିବୀଠାରୁ ୨୨ ହଜାର କିଲୋମିଟର ଦୂରରେ ପ୍ରଶାନ୍ତ ମହାସାଗର ଉପରେ ମହାକାଶରେ ଅତିକ୍ରମ କରିଛି। ଏହାର ଲମ୍ବ ୯ ମିଟର ଏବଂ ଚୌଡ଼ା ୪.୫ ମିଟର। ପୃଥିବୀ ନିକଟରେ ଏଭଳି ଗ୍ରହାଣୁ ପିଣ୍ଡ ବହୁ ସମୟରେ ଅତିକ୍ରମ କରିଥାନ୍ତି। କାଳେ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଦ୍ୱାରା ଏହା ଟାଣି ହୋଇ ପୃଥିବୀର ବାୟୁ ମଣ୍ଡଳକୁ ଆସିଯିବ ସେ ନେଇ ଆଶଙ୍କା ଦେଖାଦେଇଥାଏ। ସୂର୍ଯ୍ୟ ଚାରିପଟେ ଏଭଳି ଛୋଟ ବଡ଼ ଆକାରର ପ୍ରାୟ ୧୦୦ ନିୟୁତ ଗ୍ରହାଣୁ ପିଣ୍ଡ ଘୁରିବୁଲିଥାନ୍ତି ବୋଲି ନାସାର ଜେଟ୍‌ ପ୍ରୋପଲେଶନ୍‌ ଲାବୋରେଟୋରୀର ସେଣ୍ଟର ଫର୍‌ ନିୟର ଆର୍ଥ ଅବଜେକ୍ଟ ଷ୍ଟଡିଜ୍‌ର ନିର୍ଦ୍ଦେଶକ ପଲ୍‌ ଚୋଡାସ୍‌ କହିଛନ୍ତି। ଏଭଳି ଆକାରର ଗ୍ରହାଣୁ ପିଣ୍ଡ ବର୍ଷରେ ଦୁଇ ଅବା ଏହାଠାରୁ ଅଧିକ ଥର ପୃଥିବୀର ବାୟୁ ମଣ୍ଡଳରେ ପ୍ରବୋ କରିଥାନ୍ତି। ବାୟୁମଣ୍ଡଳରେ ପ୍ରବେଶ କରି ଏଗୁଡ଼ିକ ଘର୍ଷଣ ଯୋଗୁ ଜଳି ଉଠିଥାନ୍ତି। ଏହାର କେତେକ କଠିନ ଅଂଶ ଭୂପୃଷ୍ଠରେ ପଡ଼ିଥାଏ।

 

Share