ପୁଣି ବିପଦ ମାଡ଼ି ଆସୁଛି: ଭାକ୍ସିନ୍‌ ନେବା ପରେ ବି ତୃତୀୟ ଲହର ଭୟ…

ଲଣ୍ଡନ,୨୯।୫: ପୁଣି ବିପଦ ମାଡ଼ି ଆସୁଛି। କରୋନାରେ ଦ୍ୱିତୀୟ ଲହର ଯୋଗୁ ପୃଥିବୀରେ ବହୁ ଦେଶରେ ସ୍ଥିତି ଅଣାୟତ୍ତ ହୋଇଛି। ଏବେ ବ୍ରିଟେନ୍‌ରେ କରୋନା ମହାମାରୀର ତୃତୀୟ ଲହର ନେଇ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ଦେଶରେ ଭାକ୍ସିନ୍‌ ପ୍ରଦାନ କାର୍ଯ୍ୟ ଜାରି ରହିଛି। ତେବେ ବି ନୂଆ ଭାରିଆଣ୍ଟ୍‌ ବି-୧-୬୧୭-୨ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ବିଶେଷଜ୍ଞଙ୍କ ଅନୁସାରେ ବ୍ରିଟେନ୍‌ରେ ନୂଆ ଭାରିଆଣ୍ଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ଅତାଙ୍କ ସୃଷ୍ଟି କରିବାର ଯଥେଷ୍ଟ ଆଶଙ୍କା ରହିଛି। ଦେଶରେ ୩.୮ କୋଟି ଲୋକଙ୍କୁ ଭାକ୍ସିନ୍‌ର ପ୍ରଥମ ଡୋଜ୍‌ ଦିଆ ସରିଛି। ଅପରପକ୍ଷରେ ୧.୪ କୋଟି ଲୋକଙ୍କୁ ଦ୍ୱିତୀୟ ଡୋଜ୍‌ ଦିଆଯାଇଛି। ଗତ ଏକ ସପ୍ତାହ ମଧ୍ୟରେ ଆକ୍ରାନ୍ତ ସଂଖ୍ୟା ହସ୍ପିଟାଲରେ ୨୦ ପ୍ରତିଶତ ବୃଦ୍ଧି ପାଇଛି। ନର୍ଥ-ଓ୍ବେଷ୍ଟ୍‌ରେ ପ୍ରାୟ ୨୫ ପ୍ରତିଶତ ନୂଆ ଭାରିଆଣ୍ଟ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସ୍କଟଲାଣ୍ଡ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ଏହାଠାରୁ ଅଧିକ ରହିଛି। ବ୍ରିଟେନ୍‌ର ସ୍ଥିତି ନେଇ ଭାରତରେ ଆତଙ୍କ ସୃଷ୍ଟି ହେବା ଆରମ୍ଭ କରିଛି। ଭାରତୀୟ ମେଡ଼ିକାଲ ଆସୋସିଏଶନ୍‌ର ପୂର୍ବତନ ଅଧ୍ୟକ୍ଷ ଡ. ରାଜୀବ ଜୟଦେବନଙ୍କ ଅନୁସାରେ ବ୍ରିଟେନ୍‌ରେ ନୂଆ ଭାରିଆଣ୍ଟ୍‌ ଧୀରେଧୀରେ ଆତଙ୍କ ସୃଷ୍ଟି କରିବାରେ ଲାଗିଛି। ଭାରତରେ ତୃତୀୟ ଲହର ନେଇ ପୂର୍ବରୁ ବିଶେଷଜ୍ଞମାନେ ସତର୍କ ସୂଚନା ଜାରି କରି ସାରିଛନ୍ତି। ଭାରତରେ ଭାକ୍ସିନ୍‌ ପ୍ରଦାନ କାର୍ଯ୍ୟ ଧୀମା ଥିବାରୁ ବିପଦ ଘନେଇ ଆସୁଥିବା ବିଶେଷଜ୍ଞମାାନେ ମତପୋଷଣ କରିଛନ୍ତି।

Share