ପୁଣି ଘନେଇଲା ବିପଦ: ବାୟୁରେ ବି ବ୍ୟାପି ପାରେ କରୋନା

ଓ୍ବାଶିଂଟନ,୬।୭: ପୃଥିବୀରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି। ଏପରିସ୍ଥଳେ ୩୨ ଦେଶର ୨୩୯ ବୈଜ୍ଞାନିକ ଦାବି କରିଛନ୍ତି ଯେ, କରୋନା ଭୂତାଣୁ ବାୟୁ ଦ୍ୱାରା ବି ବ୍ୟାପିପାରେ। ଏନେଇ ଶୀଘ୍ର ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଆବଶ୍ୟକ ମାର୍ଗଦର୍ଶିକା ଜାରି କରୁ ବୋଲି ବୈଜ୍ଞାନିକମାନେ କହିଛନ୍ତି। ପୂର୍ବରୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ସୂଚନା ଦିଆ ଯାଇଥିଲା ଯେ, କରୋନା ଭୂତାଣୁ ବାୟୁ ଦ୍ୱାରା ବ୍ୟାପେ ନାହିଁ। ତେବେ ଏବେ ବୈଜ୍ଞାନିକଙ୍କ ଏଭଳି ଦାବି ସମସ୍ତଙ୍କ ନିଦ ହଜାଇ ଦେଇଛି। ଗଣମାଧ୍ୟମ ସଂସ୍ଥା ନ୍ୟୁୟର୍କ ଟାଇମ୍ସ୍‌ରେ ଏନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ବାୟୁରେ କରୋନା ସଂକ୍ରମଣ ହେଲେ ଏହାକୁ ରୋକିବା କଷ୍ଟସାଧ୍ୟ ହେବ ବୋଲି ବିଶେଷଜ୍ଞ ମତପୋଷଣ କରିଛନ୍ତି। ଏସମ୍ପର୍କରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଟେକ୍ନିକାଲ ମୁଖ୍ୟ ଡ.ବେନେଡେଟା ଆଲେଗ୍ରାଞ୍ଜି କହିଛନ୍ତି ଯେ, ୬ ମାସ ପରେ ହୁଏତ କରୋନା ଭୂତାଣୁ ବାୟୁରେ ବ୍ୟାପୁଥିବ ବୋଲି ଅନୁମାନ କରାଯାଉଛି। ତେବେ ଏହା ଉପରେ ଅଧିକ ଗବେଷଣା ଜାରି ରହିଥିବା ସେ କହିଛନ୍ତି।

Share