ପୁଣି ମାଡ଼ି ଆସିଲା ବିପଦ: ସାବଧାନ ନ ହେଲେ ଯିବ ଜୀବନ…

ନୂଆଦିଲ୍ଲୀ,୧୭।୪: ଦେଶରେ କରୋନାର ସଂକ୍ରମଣ ବେଲଗାମ୍‌ ହେବାରେ ଲାଗିଛି। ସ୍ଥିତି ଧୀରେଧୀରେ ଅଣାୟତ୍ତ ହେବା ଯୋଗୁ ଲୋକଙ୍କ ମଧ୍ୟ କୋକୁଆ ଭୟ ସୃଷ୍ଟି ହୋଇଛି। ପୁଣି କରୋନା ବିପଦ ମାଡ଼ି ଆସୁଥିବାବେଳେ ସାବଧାନ ନ ହେଲେ ଜୀବନ ପ୍ରତି ସଙ୍କଟ ରହିଥିବା ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି। ତେଣୁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ସହିତ ଅନ୍ୟ କରୋନା ମାର୍ଗଦର୍ଶିକା ପାଳନ କରିବାକୁ ସରକାରଙ୍କ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଛି। ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଅଢେଇ ଲକ୍ଷ ମୁହାଁ ହୋଇଛି। କରୋନା ସଂକ୍ରମଣ ପୂର୍ବର ସମସ୍ତ ରେକର୍ଡ ଭାଙ୍ଗିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୩୪ ହଜାର ୬୯୨ରେ ପହଞ୍ଚିଛି। ସେହିପରି ଏହି ସମୟ ମଧ୍ୟରେ କରୋନାରେ ୧୩୪୧ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏଭଳି ସ୍ଥିତି ଜାରି ରହିଲେ ଆଉ ଗୋଟିଏ ଗୋଟିଏ ମଧ୍ୟରେ ଦେଶରେ ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଅଢ଼େଇ ଲକ୍ଷରେ ପହଞ୍ଚିବାର ଆଶଙ୍କା ଦେଖାଦେଇଛି। କରୋନା ସଂକ୍ରମଣ ଯୋଗୁ ମହାରାଷ୍ଟ୍ରରେ ଅବସ୍ଥା ଅସମ୍ଭାଳ ହେବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୩ ହଜାର ୭୨୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଏହି ସମୟ ମଧ୍ୟରେ ୩୯୮ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି।

Share