କରୋନାରୁ ସୁସ୍ଥ ପରେ ବି ବିପଦ, ବିନା ଯନ୍ତ୍ରଣାରେ କିଡ୍‌ନୀ ହେଉଛି ଅକାମୀ …

ଓ୍ବାଶିଂଟନ,୨।୯: କରୋନା ଅକ୍ରାନ୍ତଙ୍କ ଉପରେ ବିପଦ ପରେ ବିପଦ ମାଡ଼ି ଆସୁଛି। ସୁସ୍ଥ ହେବା ପରେ ସେମାନଙ୍କଠାରେ କିଡ୍‌ନୀ ସମସ୍ୟା ଦେଖା ଦେଉଛି। ସେମାନଙ୍କ ଅଜାଣତରେ ବିନା ଯନ୍ତ୍ରଣାରେ କିଡ୍‌ନୀ ଅକାମୀ ହୋଇଯାଉଛି। ଏନେଇ ହୋଇଥିବା ଏକ ସର୍ଭେ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ଜର୍ନାଲ ଅଫ୍‌ ଆମେରିକାନ୍‌ ସୋସାଇଟ ଅଫ୍‌ ନେଫ୍ରୋଲୋଜିରେ ଏହି ରିପୋଟର୍ର୍ ପ୍ରକାଶ ପାଇଛି।

ପ୍ରତି ୧୦ ହଜାର କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୭.୮ ପ୍ରତିଶତଙ୍କଠାରେ ଡାଏଲିସିସ୍‌ ସ୍ଥିତି ସୃଷ୍ଟି ହେଉଛି। ବିନା ଯନ୍ତ୍ରଣାରେ ଏଭଳି ହେଉଥିବାରୁ କିଡ୍‌ନୀ ଅକାମୀ ହେବାରେ ଶେଷ ପର୍ଯ୍ୟାୟରେ ପହଞ୍ଚିଯାଉଛି ବୋଲି ମିସୁରି ସ୍ଥିତ ସେଣ୍ଟ୍‌ ଲୁଇସ୍‌ ହେଲଥ୍‌ କେୟାର ସିଷ୍ଟମର କ୍ଲିନିକାଲ ଇପିଡିମିଓଲୋଜି କେନ୍ଦ୍ରର ନିର୍ଦ୍ଦେଶକ ଜିୟାଦ୍‌ ଅଲ୍‌-ଆଲି କହିଛନ୍ତି। ଫଳରେ ଏଭଳି ଲୋକଙ୍କ ବଞ୍ଚିବା କଷ୍ଟକର ହେଉଛି।

ସେହିପରି କରୋନାରୁ ସୁସ୍ଥ ହେବା ପରେ ଧମନୀରେ ରକ୍ତ ଜମାଟ ବାନ୍ଧିବା ସମସ୍ୟା, ଷ୍ଟ୍ରୋକ୍‌, ଡାଇବେଟିସ୍‌, ନିଶ୍ୱାସ ନେବାରେ ସମସ୍ୟା, ହାର୍ଟ ଓ ଲିଭର ସମସ୍ୟା, ଅବସାଦ ଏବଂ ସ୍ମୃତି ଶକ୍ତି ହ୍ରାସ ସମସ୍ୟା ଦେଖିବାକୁ ମିଳୁଛି। ଇତିମଧ୍ୟରେ ୮୯,୨୧୬ ଜଣ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କଠାରେ ଏଭଳି ସମସ୍ୟା ଦେଖିବାକୁ ମିଳୁଛି। ହସ୍ପିଟାଲରେ ଭର୍ତ୍ତି ହୋଇଥିବା କରୋନା ଆକ୍ରାନ୍ତଙ୍କଠାରେ କିଡ୍‌ନୀ ସମସ୍ୟା ଦେଖାଯିବାର ଆଶଙ୍କା ୨୩ ପ୍ରତିଶତ ରହିଛି ବୋଲି ଅଲ୍‌-ଆଲି କହିଛନ୍ତି।

Share