ବମିଖାଲ ଓଭରବ୍ରିଜରେ ଝୁଲୁଛି ବିପଦ

ଭୁବନେଶ୍ୱର,୨୬।୭(ବ୍ୟୁରୋ): ଅଧିକାରୀଙ୍କ ଅବହେଳା ପାଇଁ ନିର୍ମାଣ ସମୟରେ ବମିଖାଲ ଓଭରବ୍ରିଜ୍‌ ୨ ଜୀବନ ନେଇଥିଲା। ଜଣେ ଶିଶୁ ସମେତ ୧୧ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। ଏବେ ଦାୟିତ୍ୱରେ ରହୁଥିବା ଅଧିକାରୀଙ୍କ ଦାୟିତ୍ୱହୀନତା ଯୋଗୁ ପୁଣି ଏକ ଦୁର୍ଘଟଣା ଘଟିବାର ଆଶଙ୍କା ଦେଖାଦେଇଛି। ୧୭ଦିନ ହେବ ଓଭରବ୍ରିଜ ପାର୍ଶ୍ୱରେ ଲାଗିଥିବା ଏକ ଭାରି ଓଜନର ଷ୍ଟ୍ରିଟ୍‌ ଲାଇଟ୍‌ ଖୁଣ୍ଟ ଉପୁଡି ପଡ଼ିବା ସହ ବିପଦଶଙ୍କୁଳ ଅବସ୍ଥାରେ ଝୁଲି ରହିଛି। ଫଳରେ ବ୍ରିଜ୍‌ ଓ ଏହା ତଳେ ଲୋକେ ଭୟଭୀତ ଅବସ୍ଥାରେ ଯିବାଆସିବା କରୁଛନ୍ତି। ଏନେଇ ସ୍ଥାନୀୟ ଲୋକେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଏହାକୁ ମରାମତି କରିବା ପରିବର୍ତ୍ତେ ବିଏମ୍‌ସି ଓ ଆର୍‌ଆଣ୍ଡ୍‌ବି ଅଧିକାରୀ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା କରୁଛନ୍ତି।

ନିର୍ମାଣ ସମୟରୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ବିବାଦ ମଧ୍ୟକୁ ଆସିଥିବା ବମିଖାଲ ଓଭରବ୍ରିଜ୍‌ ଏବେ ଆଉଏକ ଚର୍ଚ୍ଚାକୁ ଆସିଛି। ଆଲୋକମାଳାରେ ଝଲସୁଥିବା ଉକ୍ତ ବ୍ରିଜ୍‌ର ଏକ ଲୁହା ଲାଇଟ୍‌ ଖୁଣ୍ଟ ବିପଦଶଙ୍କୁଳ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି। ବ୍ରିଜ୍‌ ବାଡ଼ରେ ରହିଥିବା ଉକ୍ତ ଖୁଣ୍ଟଟିର ମୂଳରେ ଭିଡ଼ା ଯାଇଥିବା ୪ଟି ନଟ୍‌ବୋଲ୍ଟ ମଧ୍ୟରୁ ୩ଟି ସମ୍ପୂର୍ଣ୍ଣ ଉପୁଡିଯାଇଥିବାବେଳେ ଗୋଟିଏ ଅଧା ଉପୁଡା ହୋଇ ରହିଛି। ଏହାର ଟିକେ ଉପରକୁ ରହିଥିବା କ୍ଲାମ୍ପ୍‌ ମଧ୍ୟ ଢ଼ିଲା ହୋଇପଡିଛି। ଫଳରେ ବହୁ ଓଜନ ବିଶିଷ୍ଟ ଏହି ଖୁଣ୍ଟଟି ବ୍ରିଜ୍‌ ବାଡ଼କୁ ଆଉଜି ଯାଇଛି। ଜୋର୍‌ ପବନ ହେଲେ ତାହା ବ୍ରିଜ ଉପରକୁ କିମ୍ବା ତଳକୁ ଖସି ପଡିବାର ସମ୍ଭାବନା ରହିଛି।

ବ୍ରିଜ୍‌ ନିକଟରେ ଦୋକାନ କରିଥିବା ମନୋରଞ୍ଜନ ବେହେରାଙ୍କ କହିବାନୁଯାୟୀ, ଗତ ୮ ତାରିଖ ମଧ୍ୟାହ୍ନରେ ଏକ କାର ବୋଝୋଇ କଣ୍ଟେନର ଧକ୍କାରେ ଉକ୍ତ ଷ୍ଟ୍ରିଟ୍‌ ଲାଇଟ୍‌ ଖୁଣ୍ଟଟି ଉପୁଡିପଡ଼ି ନଇଁ ଯାଇଥିଲା। ବମିଖାଲ ଅଞ୍ଚଳର ଦେବେନ୍ଦ୍ର ଘଡ଼େଇ କୁହନ୍ତି, ଏ ନେଇ ବିଏମ୍‌ସିକୁ ଅବଗତ କରାଇବା ପରେ ଅଧିକାରୀମାନେ ଆସି ଖୁଣ୍ଟଟିକୁ ଦେଖି ଚାଲିଯାଇଥିଲେ। ୨ଦିନ ପରେ ପୁଣି କହିବାରୁ ସେମାନେ ଆର୍‌ଆଣ୍ଡ୍‌ବି ବିଭାଗ କାର୍ଯ୍ୟ କରିବ କହି ଏଡ଼ାଇଯାଇଥିଲେ। ବର୍ତ୍ତମାନ ଖୁଣ୍ଟଟି ଯେଉଁ ଅବସ୍ଥାରେ ରହିଛି, ଜୋର୍‌ରେ ପବନ ହେଲେ କାହା ଉପରେ ଯେ ଖସି ନ ପଡ଼ିବ ତାହା କହିବା କଷ୍ଟକର। କୌଣସି ଦୁର୍ଘଟଣା ଘଟିବା ପୂର୍ବରୁ ଏହାର ମରାମତି ଜରୁରୀ ବୋଲି ଘଡ଼େଇ କହିଛନ୍ତି।