ଗୁଣପୁର,୧୪ା୮(ଡି.ଏନ୍.ଏ.): ରାୟଗଡ଼ା ଜିଲା ଗୁଣପୁରଠାରେ ବଂଶଧାରା ନଦୀ ଜଳସ୍ତର ବିପଦ ସଙ୍କେତ ଡେଇଁଛି। ବିପଦ ସଙ୍କେତ ୮୪ ମିଟର ରହିଥିବା ବେଳେ ଏବେ ନଦୀଜଳ ୮୩.୯୭ ମିଟରରେ ପ୍ରବାହିତ ହେଉଛି।
ଉପରମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ହରଭାଙ୍ଗି ସହ କେନ୍ଦୁଗୁଡ଼ା ବ୍ୟାରେଜରୁ ପାଣି ଛଡ଼ାଯାଇଛି। ଫଳରେ ବଂଶଧାରାରେ ଜଳସ୍ତର ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ଗାଁ ଏବଂ ସହରର ବିଭିନ୍ନ ତଳିଆ ଅଞ୍ଚଳରେ ବର୍ଷାଜଳ ଜମି ରହିଥିବା ଦେଖିବାକୁ ମିଳିଛି। ଅପରପକ୍ଷେ ସହରର ଘାସି ସାହିଠାରେ କରଞ୍ଜା ନାଳର ଗେଟ୍ ଏବଂ କତାଲୁଗଡ଼ାଠାରେ ହଳଦିଆ ନାଳର ଗେଟ୍ ବନ୍ଦ କରାଯାଇଛି। ଫଳରେ ନାଳପାଣି ନଦୀକୁ ନ ଯାଇ କୁତ୍ରିମ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ବର୍ଷା ଲାଗି ରହିଥିବାରୁ ରାତିରେ ନଦୀଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେବ ବୋଲି ଅନୁମାନ କରାଯାଇଛି। ଏହାକୁ ନଜରରେ ରଖି ଗୁଣପୁର ବ୍ଲକ ପ୍ରଶାସନ ପକ୍ଷରୁ କରଞ୍ଜା ନାଳ ନିକଟରେ ଥିବା ସେବା ସମାଜର ବାଳିକାମାନଙ୍କୁ ଲିମାମେଡ଼ା ସ୍ଥିତ ଅନ୍ୟ ଏକ ଆଶ୍ରମକୁ ସ୍ଥାନାନ୍ତର କରାଯାଇଛି।