Categories: ଜାତୀୟ

ବିପଦ ଘନେଇଲା, ନିପା ଭାଇରସ୍‌ ସଂକ୍ରମଣ ଯୋଗୁ ୨୦ ହସ୍ପିଟାଲରେ ଭର୍ତ୍ତି, ଆଇସୋଲେଶନ୍‌ରେ ୧୬୮…

ଥିରୁଭାନନ୍ତପୁରମ୍‌,୬।୯: କେରଳ ଉପରେ ନୂଆ ବିପଦ ଘନେଇବାରେ ଲାଗିଛି। କରୋନା ମହାମାରୀ ସହିତ ଏଠାରେ ନିପା ଭାଇରସ ସଂକ୍ରମଣ ବଢ଼ିବାରେ ଲାଗିଛି। କୋଝିକୋଡ ଠାରୁ କିଛି ଦୂରରେ ଥିବା ମାଓ୍ବୁରରେ ୧୨ ବର୍ଷର ଶିଶୁଙ୍କର ନିପା ଭାଇରସ ସଂକ୍ରମଣ ଯୋଗୁ ମୃତ୍ୟୁ ପରେ ପ୍ରଶାସନ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିପାଇଁ ସହର ତଥା ନିକଟବର୍ତ୍ତୀ ଅଞ୍ଚଳରେ ଏହାର ସଂକ୍ରମଣକୁ ରୋକିବା ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷ ପ୍ରସ୍ତୁତି ଆରମ୍ଭ କରିଛନ୍ତି।
ନିପା ସଂକ୍ରମଣର ସମ୍ଭାବନାକୁ ଦୃଷ୍ଟିରେ ରଖି କୋଝିକୋଡରେ ଏକ ସ୍ବତନ୍ତ୍ର ନିପା ୱାର୍ଡ ଆରମ୍ଭ କରାଯାଇଛି। ମନ୍ତ୍ରୀ ତଥା ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ସହ ବୈଠକ ପରେ ପରବର୍ତ୍ତୀ ଯୋଜନା ଉପରେ ନିଷ୍ପତ୍ତି ନିଆଯିବ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି।
ମୃତ ଶିଶୁଙ୍କ ସଂସ୍ପର୍ଶରେ ଆସିଥିବା ମୋଟ ୧୮୮ଜଣଙ୍କୁ ଚିହ୍ନଟ କରାଯାଇଛି। ଏଥିମଧ୍ୟରୁ ୨୦ ଜଣଙ୍କ ଜୀବନ ପ୍ରତି ଅଧିକ ବିପଦ ଥିବାରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କଠାରେ ନିପା ଲକ୍ଷଣ ଦେଖିବାକୁ ମିଳିଛି। ଏଥି ସହିତ, ୧୬୮ଜଣଙ୍କୁ ହୋମ୍‌ ଆଇସୋଲେଶନରେ ରଖାଯାଇଛି।

ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି ନିପା ଲକ୍ଷଣ ପ୍ରକାଶ ପାଇଥିବା ୨ ଜଣେ ହେଉଛନ୍ତି ସ୍ବାସ୍ଥ୍ୟ କର୍ମୀ। ସେମାନଙ୍କ ମଧ୍ୟରୁ ଜଣେ ଘରୋଇ ଡାକ୍ତରଖାନାରେ କାମ କରୁଥିବାବେଳେ ଅନ୍ୟ ଜଣେ କୋଝିକୋଡ ମେଡିକାଲ କଲେଜ ହସ୍ପିଟାଲର କର୍ମଚାରୀ।

ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ଭିରୋଲୋଜିକୁ ପଠାଯାଇଥିବା ମୃତ ଶିଶୁଙ୍କ ନମୁନାରେ ସେ ନିପା ସଂକ୍ରମିତ ହୋଇଥିବା ନିଶ୍ଚିତ କରାଯାଇଥିଲା। ମନ୍ତ୍ରୀ କହିଛନ୍ତି ଶିଶୁଙ୍କ ଘରର ତିନି କିଲୋମିଟର ବ୍ୟାସାର୍ଦ୍ଧ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇଛି। ଏଥି ସହିତ ଏହାର ସଂଲଗ୍ନ ଅଞ୍ଚଳ ମଧ୍ୟ କଡା ନଜର ରଖାଯାଇଛି।

ପୁଣେ ଏନଆଇଭି ଅଧିକାରୀମାନେ କୋଝିକୋଡ ହସ୍ପିଟାଲରେ ପରୀକ୍ଷା ସୁବିଧା ପାଇଁ ବ୍ୟବସ୍ଥା କରାଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ପ୍ରାରମ୍ଭିକ ପରୀକ୍ଷଣରେ ରୋଗୀରେ ସଂକ୍ରମଣ ନିଶ୍ଚିତ ହୁଏ, ତେବେ ନମୁନାକୁ ଏନ୍‌ଆଇଭିକୁ ପୁଣି ଥରେ ପରୀକ୍ଷା ଲାଗି ପଠାଯିବ। ଏହାର ଫଳାଫଳ ୧୨ ଘଣ୍ଟା ମଧ୍ୟରେ ଉପଲବ୍ଧ ହେବ।

Share