ବିପଦ ପୁଣି ଘନେଇଲା: ୧୮ ରାଜ୍ୟରେ ନୂଆ ଷ୍ଟ୍ରେନ୍‌

ନୂଆଦିଲ୍ଲୀ,୨୪।୩: ଦେଶରେ କରୋନାର ଦ୍ୱିତୀୟ ଲହର ଆରମ୍ଭ ହୋଇଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ପ୍ରତିଦିନ ବଢୁଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ନେଇ ପୁଣି ଲକ୍‌ଡାଉନ୍‌ ଶର୍ଟଡାଉନ୍‌ ଘୋଷଣା କରାଯିବା ଆଶଙ୍କାରେ ଲୋକେ ଭୟଭୀତ ହେବାରେ ଲାଗିଛନ୍ତି। ଦେଶର ୧୮ ରାଜ୍ୟରେ କରୋନା ଭୁତାଣୁର ନୂଆ ଷ୍ଟ୍ରେନ୍‌ ଚିହ୍ନଟ ହୋଇଥିବା କେନ୍ଦ୍ରୀୟ ସ୍ବାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି। ଏସବୁ ରାଜ୍ୟରେ ନୂଆ ଡବଲ ମ୍ୟୁଟାଣ୍ଟ୍‌ ଭ୍ୟାରିଆଣ୍ଟ୍‌ ଚିହ୍ନଟ ହୋଇଥିବା ମନ୍ତ୍ରଣାଳୟ କହିଛି। ନୂଆ ଷ୍ଟ୍ରେନ୍‌ର ସଂକ୍ରମଣ ହାର ଅଧିକ ରହିଥିବାରୁ ଏହାର ପ୍ରଭାବରେ ଭାରତରେ ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ଏକ ସପ୍ତାହ ଧରି ଦେଶରେ ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ହଜାରରୁ ଅଧିକ ରହୁଛି। ଏଥିରୁ ପ୍ରମାଣିତ ହେଉଛି ଯେ, ନୂଆ ଡବଲ ମ୍ୟୁଟାଣ୍ଟ୍‌ ଭ୍ୟାରିଆଣ୍ଟ୍‌ ତୀବ୍ର ବେଗରେ କାୟା ବିସ୍ତାର କରୁଛି। ତେବେ କରୋନା ମାର୍ଗଦର୍ଶିକା ପାଳନ ଦ୍ୱାରା ଏଥିରୁ ଦୂରେଇ ରହି ହେବବୋଲି ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି।

Share