ବିପଦ ଘନେଇଲା, ଚାଇନାରେ ୮୦ ପ୍ରତିଶତ କରୋନା ଆକ୍ରାନ୍ତ…

ବେଜିଂ,୨୨।୧ : ଚାଇନାରେ କରୋନା ମହାମାରୀ ଏକ ଭୟଙ୍କର ରୂପ ନେଇଛି। ଦେଶରେ ଜନସଂଖ୍ୟାର ଏକ ବଡ଼ ଅଂଶ ସଂକ୍ରମିତ ହୋଇଛନ୍ତି। ଏସମ୍ପର୍କରେ ଚାଇନାର ଜଣେ ବିଶିଷ୍ଟ ବୈଜ୍ଞାନିକ ଏକ ବଡ ସୂଚନା ଦେଇଛନ୍ତି। ଚାଇନାର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ରର ମୁଖ୍ୟ ମହାମାରୀ ବିଶେଷଜ୍ଞ ୱୁ ଜୁନିଓ କହିଛନ୍ତି ଯେ ଆସନ୍ତା ଦୁଇ ତିନି ମାସ ମଧ୍ୟରେ ଚାଇନାରେ କରୋନା ସଂକ୍ରମଣରେ ଦ୍ୱିତୀୟ ବୃଦ୍ଧି ହେବାର ସମ୍ଭାବନା କମ। କାରଣ ଇତିମଧ୍ୟରେ ୮୦ ପ୍ରତିଶତ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି।

ଜାନୁୟାରୀ ୨୧ ରେ ଚାଇନାରେ ଆରମ୍ଭ ହୋଇଥିବା ଚନ୍ଦ୍ର ନୂଆ ବର୍ଷ ଛୁଟିରେ ବହୁ ସଂଖ୍ୟକ ଲୋକ ଯାତ୍ରା କରିବେ ଯାହା ଦ୍ୱାରା କେତେକ ଅଞ୍ଚଳରେ ସଂକ୍ରମଣ ବୃଦ୍ଧି ପାଇପାରେ ବୋଲି ସେ କହିଛନ୍ତି। ତଥାପି, ଦ୍ୱିତୀୟ କରୋନା ଲହରର ଆଶଙ୍କା ନାହିଁ।

ୱୁ ଜୁନିୟୋ କହିଛନ୍ତି, ଚନ୍ଦ୍ର ନୂଆ ବର୍ଷରେ ଚାଇନାର ସହରରୁ ଲୋକମାନେ ଗ୍ରାମାଞ୍ଚଳକୁ ଯାଇ ନିଜ ସମ୍ପର୍କୀୟଙ୍କୁ ଦେଖା କରିଥାନ୍ତି। ଏଭଳି ପରିସ୍ଥିତିରେ ଗ୍ରାମାଞ୍ଚଳରେ ସଂକ୍ରମଣ ହାର ଅଧିକ ହୋଇପାରେ। କାରଣ ଗ୍ରାମାଞ୍ଚଳରେ କରୋନା ରୋକିବା ପାଇଁ କମ ବ୍ୟବସ୍ଥା ଅଛି। ଅନ୍ୟପକ୍ଷରେ, ଅନ୍ୟ ଜଣେ ଅଧିକାରୀ କହିଛନ୍ତି ଯେ ଚାଇନାରେ ଗୁରୁତର କରୋନା ରୋଗୀଙ୍କ ସଂଖ୍ୟା ସର୍ବୋଚ୍ଚ ସ୍ତର ଅତିକ୍ରମ କରିଛି।

ଚାଇନାର ସରକାରୀ ପରିସଂଖ୍ୟାନ ଅନୁଯାୟୀ, ଜାନୁଆରୀ ୧୨ ପର୍ଯ୍ୟନ୍ତ ଏଠାରେ ୬୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ନିକଟରେ ଚାଇନା ଏହି ତଥ୍ୟକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ସହିତ ଶେୟାର କରିଛି। ଜିରୋ କୋଭିଡ ନୀତି ପ୍ରତ୍ୟାହାର କରିବା ଦ୍ୱାରା କରୋନା ମୃତ୍ୟୁ ସଂଖ୍ୟା ବୃଦ୍ଧି ହେବାର କାରଣ ବୋଲି ଚାଇନା ଦର୍ଶାଇଛି।

Share