ବିପଦ ଆସୁଛି ମାଡ଼ି, ୭୯ ବର୍ଷ ମଧ୍ୟରେ ଦେଶର ୧୨ ସହର ସମୁଦ୍ରରେ ଯିବ ବୁଡ଼ି…

ନୂଆଦିଲ୍ଲୀ,୧୦।୮: ଦେଶର ୧୨ଟି ସହର ଉପରେ ବିପଦ ମାଡ଼ି ଆସୁଛି। ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ଆସନ୍ତା ୭୯ ବର୍ଷ ମଧ୍ୟରେ ଦେଶର ୧୨ଟି ଉପକୂଳବର୍ତ୍ତୀ ସହର ସମୁଦ୍ରରେ ବୁଡ଼ିଯିବ। ସହରରେ ୩ ଫୁଟର ସମୁଦ୍ର ପାଣି ପ୍ରବାହିତ ହେବ। ମେରୁ ଅଞ୍ଚଳରେ ଲଗାତାର ହିମ ପାହାଡ଼ ତରୁଳୁଥିବାରୁ ସମୁଦ୍ରର ଜଳସ୍ତର ବୃଦ୍ଧି ପାଇବାର ଆଶଙ୍କା ରହିଛି। ଏହା ଯୋଗୁ ପୃଥିବୀର ବହୁ ଉପକୂଳବର୍ତ୍ତୀ ସହର ଉପରେ ସଙ୍କଟ ସୃଷ୍ଟି ହେବାର ଆଶଙ୍କା ରହିଛି। ଭାରତର ଚେନ୍ନାଇ, କୋଚି, ଭାବାନଗର ଆଦି ଉପକୂଳବର୍ତ୍ତୀ ସହରର ପରିସୀମା ଛୋଟ ହୋଇଯିବ। ଏଠାରେ ବାସ କରୁଥିବା ଲୋକେ ସ୍ଥାନାନ୍ତର ହେବେ ବୋଲି ନାସା ପକ୍ଷରୁ ପ୍ରକାଶ ପାଇଥିବା ‘ ସି ଲେବୁଲ୍‌ ପ୍ରୋଜେକ୍‌ଶନ୍‌ ଟୁଲ୍‌’ ରିପୋର୍ଟରେ ଉଲ୍ଲେଖ କରାଯାଇଛି। କାର୍ବନ ନିଗର୍ମନ ରୋକା ନ କଲେ ପୃଥିବୀର ତାପମାତ୍ରା ୪.୪ ଡିଗ୍ରୀ ସେଲସିୟସ୍‌ ବଢ଼ିଯିବ। ଆସନ୍ତା ୨୦ ବର୍ଷ ମଧ୍ୟରେ ଏହା ୧.୫ ଡିଗ୍ରୀ ସେଲସିୟମ୍‌ ବଢ଼ିବାର ଆଶଙ୍କା ରହିଛି। ୧୯୫ଟି ଦେଶ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ପ୍ରଭାବ ସମ୍ପର୍କରେ ସର୍ଭେ କରାଯାଇ ଏହି ରିପୋର୍ଟ ପ୍ରକାଶ ପାଇଛି। ଭାବାନଗରରେ ୨୧୦୦ସୁଦ୍ଧା ସମୁଦ୍ର ପତ୍ତନ ୨.୬୯ ଫୁଟ ଉପରକୁ ଆସିବ, ଯାହା ଗତ ବର୍ଷ ପର୍ଯ୍ୟନ୍ତ ୩.୫୪ ଇଞ୍ଚ ବୃଦ୍ଧି ପାଇଥିଲା। ସେହିପରି କୋଚିରେ ସମୁଦ୍ର ଜଳସ୍ତର ୨.୩୨ ଫୁଟ ଉପରକୁ ଆସିବ, ଯାହା ଗତ ବର୍ଷ ପର୍ଯ୍ୟନ୍ତ ୨.୩୬ ଇଞ୍ଚ ବୃଦ୍ଧି ପାଇଛି। ମାର୍ମାଗୋଆରେ ସମୁଦ୍ର ପତ୍ତନ ୨.୦୬ ଫୁଟକୁ ବୃଦ୍ଧି ପାଇବ, ଯାହା ଗତ ବର୍ଷ ପର୍ଯ୍ୟନ୍ତ ୧.୯୬ ଇଞ୍ଚ ବୃଦ୍ଧି ଘଟିଛି। ଅପରପକ୍ଷରେ ଓଖାରେ ୧.୯୬ ଫୁଟ, ଟୁଟିକୋରିନରେ ୧.୯୩ ଫୁଟ, ପାରାଦୀପରେ ୧.୯୩ ଫୁଟ, ମୁମ୍ବାଇରେ ୧.୯୦ ଫୁଟ, ମାଙ୍ଗାଲୋର ୧.୮୭ ଫୁଟ, ଚେନ୍ନାଇରେ ୧.୮୭ ଫୁଟ ଏବଂ ବିଶାଖାପାଟନମରେ ୧.୭୭ ଫୁଟ ସମୁଦ୍ର ଜଳସ୍ତର ବୃଦ୍ଧି ପାଇବାର ଆଶଙ୍କା ରହିଛି। ତେବେ ଏଠାରେ ପଶ୍ଚିମବଙ୍ଗର କିଡୋରପୋର ଅଞ୍ଚଳରେ ଗତ ବର୍ଷ ପର୍ଯ୍ୟନ୍ତ ସମୁଦ୍ର ପତ୍ତନ ବୃଦ୍ଧି ହେବାର କୌଣସି ବିପଦ ନ ଥିବାବେଳେ ଅଗାମୀ ଦିନରେ ଏଠାରେ ଅଧ ଫୁଟ ସମୁଦ୍ର ଜଳସ୍ତର ବଢ଼ିଯିବ।
ଆଗାମୀ ଦଶ ବର୍ଷ ମଧ୍ୟରେ କାଣ୍ଡଲା, ଓଖା ଏବଂ ମାର୍ମାଗୋଆରେ ସମୁଦ୍ର ଜଳସ୍ତର ୩.୫୪ ଇଞ୍ଚ ବଢ଼ିବାର ଆଶଙ୍କା ରହିଛି। ସେହିପରି ଭାବାନଗରରେ ୬.୨୯ ଇଞ୍ଚ, ମୁମ୍ବାଇରେ ୩.୧୪ ଇଞ୍ଚ, କୋଚିରେ ୪.୩୩ ଇଞ୍ଚ, ଟୁଟିକୋରିନ, ଚେନ୍ନାଇ, ପାରାଦୀପ ଏବଂ ମାଙ୍ଗାଲୋରରେ ୨.୭୫ ଇଞ୍ଚ ଏବଂ ବିଶାଖାପାଟନମରେ ୨.୩୬ ଇଞ୍ଚ ବୃଦ୍ଧି ଘଟିବ ବୋଲି ରିପୋର୍ଟରେ ପ୍ରକାଶ ପାଇଛି।

Share