ମାଡ଼ି ଆସୁଛି ବିପଦ, ପୃଥିବୀ ମୁହାଁ ଜଳନ୍ତା ଗ୍ରହାଣୁପିଣ୍ଡ …

ଓ୍ବାଶିଂଟନ,୧୯।୭: ପୃଥିବୀ ଉପରେ ନୂଆ ବିପଦ ମାଡ଼ିଆସୁଛି। ଜଳନ୍ତା ଗ୍ରହାଣୁପିଣ୍ଡ ୨୦୦୮-ଜିଓ-୨୦ ସେକେଣ୍ଡ ପ୍ରତି ୮ କିଲୋମିଟର ବେଗରେ ପୃଥିବୀ ମୁହାଁ ହୋଇଛି। ଜୁଲାଇ ୨୫ରେ ଭାରତୀୟ ସମୟ ରାତ୍ର ୨ଟାରେ ଏହା ପୃଥିବୀର କକ୍ଷପଥ ନିକଟରେ ଅତିକ୍ରମ କରିବ ବୋଲି ନାସା ପକ୍ଷରୁ ସୂଚନା ଦିଆଯାଇଛି। ଏହାର ଲମ୍ବ ୨୨୦ ମିଟର ରହିଛି। ଏହି ଗ୍ରହାଣୁପିଣ୍ଡର ଆକାର ଲଣ୍ଡନରେ ଥିବା ବିଗ୍‌ବେନ୍‌ ଘଣ୍ଟାର ଆକାରଠାରୁ ୨ ଗୁଣା ବଡ଼। ପୃଥିବୀର ଗୁରୁତ୍ୱ ଆକର୍ଷଣ ଦ୍ୱାରା ବାୟୁମଣ୍ଡଳରେ ଏହା ପ୍ରବେଶ କରିବାର ଆଶଙ୍କା ଖୁବ୍‌ କମ୍‌ ଥିଲେ ମଧ୍ୟ ନାସା ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ପୃଥିବୀଠାରୁ ୪୬.୫ ଲକ୍ଷ ମାଇଲ୍‌ରୁ କମ୍‌ ଦୂରତାରେ ଗତି କରୁଥିବା ଗ୍ରହାଣୁପିଣ୍ଡକୁ ମହାକାଶ ଗବେଷଣା କେନ୍ଦ୍ର ପକ୍ଷରୁ ବିପଦ ଜନକ ବୋଲି କୁହାଯାଇଥାଏ। ଏଭଳି ୨ ହଜାର ବିପଦଜନକ ଗ୍ରହାଣୁପିଣ୍ଡ ଉପରେ ନାସା ପକ୍ଷରୁ ଲଗାତାର ତୀକ୍ଷ୍‌ଣ ଦୃଷ୍ଟି ରଖାଯାଉଛି। ନାସାର ସେଣ୍ଟ୍ରେ ସିଷ୍ଟମ ଏଭଳି ଗ୍ରହାଣୁପିଣ୍ଡ ଉପରେ ଗବେଷଣା ଜାରି ରହିଛି। ଆସନ୍ତା ୧୦୦ ବର୍ଷ ମଧ୍ୟରେ ଏଭଳି ୨୨ଟି ଗ୍ରହାଣୁପିଣ୍ଡ ପୃଥିବୀର କକ୍ଷପଥ ନିକଟରେ ଗତି କରିବେ ବୋଲି ନାସାର ସେଣ୍ଟ୍ରେ ସିଷ୍ଟମ ପକ୍ଷରୁ କୁହାଯାଇଛି।

Share