ମାଡ଼ି ଆସୁଛି ବିପଦ: ୬୩ କୋଟିରୁ ଅଧିକଙ୍କୁ ମିଳିବନି ପିଇବା ପାଣି

ମାଦ୍ରିଦ୍‌,୨।୧: ଜଳବାୟୁ ପରିବର୍ତ୍ତନ, ଦ୍ରୁତ ଶିଳ୍ପାୟନ ଏବଂ ଜଙ୍ଗଲ ନଷ୍ଟ ହେବାର କୁପ୍ରଭାବ ପୃଥିବୀ ଉପରେ ପଡ଼ିବାକୁ ଯାଉଛି। ଆଉ ୨୦ ବର୍ଷ ପରେ ୨୦୪୦ ବେଳକୁ ପୃଥିବୀରେ ଜଳସଙ୍କଟ ଉତ୍କଟ ହେବାର ଆଶଙ୍କା ରହିଛି। ଏହାଯୋଗୁ ପୃଥିବୀର ଏକପଞ୍ଚମାଂଶ ଅର୍ଥାତ୍‌ ୬୩ କୋଟି ୫୦ ଲକ୍ଷରୁ ଅଧିକ ଲୋକଙ୍କୁ ପିଇବା ପାଣି ବି ମିଳିବନି। ସ୍ପେନ୍‌ର ଜିଓଲୋଜିକାଲ ଆଣ୍ଡ୍‌ ମାଇନିଂ ଇନଷ୍ଟିଚ୍ୟୁଟ ପକ୍ଷରୁ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ଏହା ଦ୍ୱାରା ମାନବ ସଭ୍ୟତା ଉପରେ ବିପଦ ମାଡ଼ି ଆସୁଥିବା ରିପୋର୍ଟରେ କୁହାଯାଇଛି। ଜଳସଙ୍କଟ ଯୋଗୁ ୧୪ ଦେଶର ୨୦୦ଟି ଭିନ୍ନ ଭିନ୍ନ ଅଞ୍ଚଳର ପ୍ରାୟ ୧୯ ପ୍ରତିଶତ ଲୋକେ ପ୍ରଭାବିତ ହେବେ। ଭୂଗର୍ଭର ଜଳସ୍ତର ହ୍ରାସ ପାଇବା ଯୋଗୁ ଭାରତ, ଆମେରିକା, ଚାଇନା, ମେକ୍ସିକୋ ଆଦି ଦେଶରେ ଖାଦ୍ୟ ଉତ୍ପାଦନ ବାଧାପ୍ରାପ୍ତ ହେବ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଜଳ ସଙ୍କଟ ସହିତ ଖାଦ୍ୟ ଅଭାବ ଉତ୍କଟ ସ୍ଥିତିରେ ପହଞ୍ଚିବାର ଆଶଙ୍କା ରହିଥିବା ଏଥିରେ ପ୍ରକାଶ ପାଇଛି। ଜଳ ସଂରକ୍ଷଣ ଏବଂ ପରିବେଶକୁ ବଞ୍ଚାଇ ରଖିବା ଲାଗି ରିପୋର୍ଟରେ ଗୁରୁତ୍ୱାରୋପ କରାଯାଇଛି।

Share