ବିପଦ ଆସୁଛି ମାଡ଼ି, ପୃଥିବୀ ମୁହାଁ ସୌରଝଡ଼, ଘଣ୍ଟାପ୍ରତି ବେଗ ୧୬ ଲକ୍ଷ କିଲୋମିଟର…

ଓ୍ବାଶିଂଟନ,୧୦।୭: ଗୋଟିଏ ପରେ ଗୋଟିଏ ବିପଦ ପୃଥିବୀ ଉପରେ ଘନେଇ ଆସୁଛି। କରୋନ ମହାମାରୀ ଆତଙ୍କ ଜାରି ରହିଥିବାବେଳେ ଏବେ ମହାକାଶରେ ପୃଥିବୀ ପାଇଁ ବିପଦ ଦେଖାଦେଇଛି। ଏକ ଭୟଙ୍କର ସୌରଝଡ଼ ପୃଥିବୀ ମୁହାଁ ହୋଇଛି। ଏହା  ପୃଥିବୀରେ ମାଡ଼ ହେବାର ଆଶଙ୍କା ରହିଥିବା ସ୍ପେସ୍‌ ଓ୍ବେଦର ଡଟ୍‌ କମ୍‌ ଓ୍ବେବସାଇଟ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଘଣ୍ଟା ପ୍ରତି ୧୬ ଲକ୍ଷ ୯ ହଜାର ୩୪୪ କିଲୋମିଟର ବେଗରେ ଏହା ପୃଥିବୀ ମୁହାଁ ହୋଇ ମାଡ଼ି ଆସୁଛି। ସୂର୍ଯ୍ୟରେ ସୃଷ୍ଟି ହୋଇଥିବା ଏହି ଭୟଙ୍କର ଝଡ଼ ଯୋଗୁ ପୃଥିବୀରେ ସାଟେଲାଇଟ୍‌ ସିଗ୍‌ନାଲ୍‌ରେ ବାଧା ସୃଷ୍ଟି ହେବା ସହିତ ବିମାନ ଉଡ଼ାଣ, ରେଡ଼ିଓ ସିଗ୍‌ନାଲ୍‌, ମୋବାଇଲ୍‌ ସିଗ୍‌ନାଲ୍‌, ଯୋଗାଯୋଗ ବ୍ୟବସ୍ଥା ଏବଂ ପାଣିପାଗ ଉପରେ ପ୍ରଭାବ ଅନୁଭୁତ ହେବାର ଆଶଙ୍କା ରହିଥିବା ମହାକାଶ ବିଜ୍ଞାନୀ ସତର୍କ ସୂଚନା ଜାରି କରିଛନ୍ତି। ଏହା ପୂର୍ବରୁ ୧୮୫୯ ଏବଂ ୧୯୮୯ରେ ଏଭଳି ସୌରଝଡ଼ ଆସିଥିଲା। ୧୯୮୯ରେ ଆସିଥିବା ଝଡ଼ଯୋଗୁ କାନାଡ଼ାର କ୍ୟୁବେକ୍‌ ସହରରେ ୧୨ ଘଣ୍ଟା ଧରି ବିଦ୍ୟୁତ୍‌ ସରବରାହ ବ୍ୟାହତ ହୋଇଥିଲା।

Share